ରୋହିତ ତିୱାରୀ ହତ୍ୟା, ପତ୍ନୀ ଅପୂର୍ବା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ନାରାୟଣଦତ୍ତ ତିୱାରୀଙ୍କ ପୁଅ ରୋହିତ ତିୱାରୀଙ୍କୁ ତାଙ୍କ ପତ୍ନୀ ଅପୂର୍ବା ଶୁକ୍ଲା ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇ ଦୁଇ ଦିନ ପାଇଁ ପୋଲିସ ହାଜତକୁ ପଠାଇଦିଆଯାଇଛି।
ଦିଲ୍ଲୀ ଅତିରିକ୍ତ ପୋଲିସ କମିସନର ରାଜୀବ ରଞ୍ଜନଙ୍କ ସୂଚନା ଅନୁଯାୟୀ, ରୋହିତ ଏବଂ ଅପୂର୍ବା ଗୋଟିଏ ବିବାହଯୋଗସୁତ୍ର ସଂସ୍ଥାର ୱେବସାଇଟ୍‌ରୁ ପରିଚିତ ହୋଇ ବିବାହ କରିଥିଲେ। ତେବେ ବିବାହର ପ୍ରଥମ ଦିନରୁ ହିଁ ବିବାଦ ଲାଗିରହିଥିଲା। ସ୍ୱାମୀ ସ୍ତ୍ରୀ ଦୁହେଁ କିଛି ଦିନ ହେଲା ଗୋଟିଏ ଘରେ ମଧ୍ୟ ଅଲଗା ଅଲଗା ରହୁଥିଲେ ଏବଂ ସେମାନେ ଛାଡପତ୍ର ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଘଟଣା ଦିନ ରୋହିତ ଉତ୍ତରାଖଣ୍ଡରୁ ଫେରିଥିଲେ। ଫେରିଲା ବେଳେ ସେ ତାଙ୍କର ଜଣେ ସମ୍ପର୍କୀୟ ମହିଳାଙ୍କ ସହ ମଦ ପିଇଥିଲେ। ଏହାକୁ ନେଇ ରୋହିତ ଓ ଅପୂର୍ବାଙ୍କ ମଧ୍ୟରେ ୧୫-୧୬ ମଧ୍ୟରାତ୍ରିରେ ଝଗଡ଼ା ହୋଇଥିଲା। ଏହାପରେ ଅପୂର୍ବା ତାଙ୍କ ସ୍ୱାମୀଙ୍କୁ ମାଡିବସି ତକିଆରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ରୋହିତ ମଦନିଶାରେ ଏଭଳି ଅବସ୍ଥାରେ ଥିଲେ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ପ୍ରତିହତ କରିପାରିନଥିଲେ। ହତ୍ୟା ପରେ ମାତ୍ର ୯୦ ମିନଟରେ ଅପୂର୍ବା ସବୁ ପ୍ରମାଣ ନଷ୍ଟ କରିଦେଇଥିଲେ ବୋଲି ରଞ୍ଜନ ସୂଚନା ଦେଇଛନ୍ତି।
ସୁପ୍ରିମ କୋର୍ଟରେ ଆଡ଼ଭୋକେଟ୍‌ ଭାବେ କାର୍ଯ୍ୟରତ ଅପୂର୍ବା ନିଜ ଦୋଷ ସ୍ୱୀକାର କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ଦୁଇ ଦିନ ପାଇଁ ପୋଲିସ ହାଜତକୁ ପଠାଇଦେଇଛନ୍ତି।

ସମ୍ବନ୍ଧିତ ଖବର