କରୋନାର ମୁକାବିଲା ପାଇଁ ଲକ୍ଷେ ୭୦ ହଜାର କୋଟିର ପ୍ୟାକେଜ୍‌

କରୋନା ଚିକିତ୍ସାରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା
୮୦ କୋଟି ଗରିବଙ୍କୁ ୩ ମାସ ପାଇଁ ମାସିକ ୫କି‌ଲୋ ଚାଉଳ/ଗହମ ୧ କି‌ଲୋ ଡାଲି ମାଗଣା
୨୦ କୋଟି ମହିଳା ଜନଧନ ଖାତାଧାରୀଙ୍କ ବ୍ୟାଙ୍କ ଖାତାରେ ୩ ମାସ ପାଇଁ ମାସିକ ୫୦୦ ଟଙ୍କାର ଜମା
ମନରେଗା ଶ୍ରମିକଙ୍କ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି
୩କୋଟି ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମକୁ ୧୦୦୦ ଟଙ୍କାର ଅନୁଦାନ
ପିଏମ୍‌ କିସାନ ଯୋଜନାରେ ୮.୭ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ଏପ୍ରିଲ ପ୍ରଥମ ସପ୍ତାହରେ ୨୦୦୦ ଟଙ୍କା ଜମା

ନୂଆଦିଲ୍ଲୀ : କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିବାର ୩୬ ଟଙ୍କା ମଧ୍ୟରେ ସରକାର ଏହି ପ୍ୟାକେଜ୍ ଆଣିଛନ୍ତି। ଦେଶର ଶ୍ରମିକ, ଗରିବ ଏବଂ ସାଧାରଣ‌ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନରେ ଏହି ପ୍ୟାକେଜ ବାବଦ ଅର୍ଥ ବିନିଯୋଗ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜ୍‌ ଘୋଷଣା କରିବା ସହିତ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଏଭଳି ତିରୋଟ ସମୟରେ ଗରିବ ଲୋକଙ୍କ ନିକଟରେ ଖାଦ୍ୟ ଏବଂ ଅର୍ଥ ପ୍ରଦାନ କରିବା ଲାଗି ସରକାର ଏହି ରିହାତି ପ୍ୟାକେଜ ଘୋଷଣା କରିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଗରିବ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସହିତ ଅତ୍ୟାବଶ୍ୟକ ସେବା ପାଇବାରେ କୌଣସି ଅସୁବିଧାର ଯେଭଳି ସମ୍ମୁଖୀନ ‌ନହେବେ ତାହାକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରାଯାଇଛି।

ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାରେ ଦେଶର ୮୦ କୋଟି ରାସନ କାର୍ଡ଼ ଧାରୀଙ୍କୁ ମୁଣ୍ଡ ପିଛା ୫ କିଲୋ ଚାଉଳ/ଗହମ ପ୍ରଦାନ କରାଯିବ। ଆସନ୍ତା ୩ ମାସ ପାଇଁ ଲୋକମାନଙ୍କୁ ଏହି ସୁବିଧା ମିଳିବ। ବର୍ତ୍ତମାନ ସେମାନଙ୍କୁ ମିଳୁଥିବା ୫ କିଲୋ ଖାଦ୍ୟ ସାମଗ୍ରୀ ସହିତ ଏହା ଦିଆଯିବ। ଏଥିସହିତ ପରିବାର ପିଛା ୧ କିଲୋ ଡାଲି ମଧ୍ୟ ଦିଆଯିବ।

ସେହିଭଳି କରୋନା ବିରୋଧରେ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା ଡାକ୍ତର, ନର୍ସ, ୱାର୍ଡ ବଏ, ନର୍ସ, ଆଶାକର୍ମୀ, ପାରାମେଡିକ୍‌, ଟେକ୍ନିସିଆନ, ବିଶେଷଜ୍ଞ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଏକ ସ୍ବତନ୍ତ୍ର ବୀମା ଯୋଜନାରେ ସାମିଲ ହେବେ। କୋଭିଡ-୧୯ ରୋଗର ଚିକିତ୍ସା କରୁଥିବା ସମସ୍ତ ସ୍ବାସ୍ଥ୍ୟସେବା ପ୍ରଦାନକାରୀମାନେ ଯଦି କୌଣସି ପ୍ରକାର ଦୁର୍ଘଟଣାର ସମ୍ମୁଖୀନ ହେଲେ ସେମାନଙ୍କୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯିବ। ସମସ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର, ସେବା କେନ୍ଦ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଡାକ୍ତରଖାନା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଉକ୍ତ ଯୋଜନାରେ ପ୍ରାୟ ୨୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ଉପକୃତ ହେବେ।

ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାଭାବର ସମ୍ମୁଖୀନ ହେବା ଆଶଙ୍କା ଥିବା ପରିବାର ଗୁଡ଼ିକୁ ସରକାର ଆସନ୍ତା ୩ ମାସ ପାଇଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଯୋଜନାରେ ଦେଶର ୮୦ କୋଟି ଲୋକ ବା ମୋଟ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ଉପକୃତ ହେବେ। ଏହି ଲୋକମାନେ ସାଧାରଣ ସମୟରେ ଯେତିକି ଖାଦ୍ୟ ସାମଗ୍ରୀ ପାଇଥାନ୍ତି ତାହାର ଦୁଇଗୁଣ ସେମାନଙ୍କୁ ମିଳିବ। ଏହା ପୁଣି ବିନା ମୂଲ୍ୟରେ ପ୍ରଦାନ କରାଯିବ। ସେହିଭଳି ଏସବୁ ବର୍ଗର ଲୋକଙ୍କୁ ଆବଶ୍ୟକ ପ୍ରୋଟିନ ଯେଭଳି ମିଳିପାରିବ ସେଥିପାଇଁ ସେମାନଙ୍କୁ ପରିବାର ପିଛା ଆସନ୍ତା ୩ ମାସ ପାଇଁ ମାସିକ ୧ କିଲୋ ଡାଲି ଦିଆଯିବ। ଭାରତ ସରକାରଙ୍କ ପକ୍ଷରୁ ଏହା ମଧ୍ୟ ମାଗଣାରେ ପ୍ରଦାନ କରାଯିବ। ପିଏମ୍ କିସାନ ଯୋଜନାର ପ୍ରଥମ କିସ୍ତି ବାବଦ ୨୦୦୦ ଟଙ୍କା ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏଥିରେ ୮.୭ କୋଟି କୃଷକ ଉପକୃତ ହେବ। ଏଥିସହିତ ୨୦ କୋଟି ୪୦ ଲକ୍ଷ ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁର ଅନୁଦାନ ୩ ମାସ ପାଇଁ ଦିଆଯିବ। ପିଏମ୍ ଗରିବ କଲ୍ୟାଣ ଯୋଜନାରେ ୮ କୋଟି ଗରିବ ପରିବାରକୁ ଆସନ୍ତା ୩ ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ।

ମନରେଗାରେ ଶ୍ରମିକମାନଙ୍କ ମଜୁରିକୁ ମଧ୍ୟ ବଢ଼ାଯାଇଛି। ଏହି ଶ୍ରମିକମାନେ ଏବେ ଦୈନିକ ୧୮୨ ଟଙ୍କା ମଜୁରି ପାଉଥିବାବେଳେ ଏହାକୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ବାବଦରେ ଉକ୍ତ ଶ୍ରମିକମାନେ ବାର୍ଷିକ ଅଧିକ ପ୍ରାୟ ୨ ହଜାର ଟଙ୍କା ପାଇବେ। ଉକ୍ତ ନିଷ୍ପତ୍ତି ଯୋଗୁଁ ୧୩.୬୨ କୋଟି ପରିବାର ଉପକୃତ ହେବେ। ସେହିଭଳି ଦେଶର ୬୩ ଲକ୍ଷ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକୁ ବନ୍ଧକ ମୁକ୍ତ ଋଣ ପ୍ରଦାନ ସୀମାକୁ ଦ୍ବିଗୁଣ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ସେମାନେ ବିନା ବନ୍ଧକରେ ୧୦ ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ।

ଏହାଦ୍ବାରା ୭ କୋଟି ପରିବାର ଉପକୃତ ହେବେ।

ବିଧବା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କୁ ଆସନ୍ତା ୩ ମାସ ପାଇଁ ଦୁଇଟି କିସ୍ତିରେ ୧୦୦୦ ଟଙ୍କାର ଅନୁଦାନ ଦିଆଯିବ। ଏହାଦ୍ବାରା ପ୍ରାୟ ୩ କୋଟି ଲୋକ ଉପକୃତ ହେବେ। ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କମ୍ପାନି ଗୁଡ଼ିକ ପାଇଁ ମଧ୍ୟ ଏହି ପ୍ୟାକେଜରେ ସହାୟତା ପ୍ରଦାନ କରାଯାଇଛି। ୧୦୦ ଜଣ ପର୍ଯ୍ୟନ୍ତ କାମ କରୁଥିବା ସଂସ୍ଥାର କର୍ମଚାରୀ ଯାହାର ୯୦ ପ୍ରତିଶତ କର୍ମଚାରୀ ୧୫ ହଜାର ଟଙ୍କାରୁ କମ୍ ବେତନ ପାଉଛନ୍ତି ସେସବୁର ଭବିଷ୍ୟନିଧି ବାବଦ ଦେୟ (ଉଭୟ କମ୍ପାନି ଓ କର୍ମଚାରୀଙ୍କର) ସରକାର ପ୍ରଦାନ କରିବେ। ଏଥିସହିତ କର୍ମଚାରୀମାନେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଭବିଷ୍ୟନିଧି ପାଣ୍ଠି ( ଅଣ ଫେରସ୍ତଯୋଗ୍ୟ ଅଗ୍ରୀମ) କିମ୍ବା ୩ ମାସର ଦରମା (ଯେଉଁଟି କମ୍‌) ଉଠାଇ ପାରିବେ। ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ନିୟମାବଳୀରେ ସଂଶୋଧନ ଅଣାଯିବ ବୋଲି କୁହାଯାଇଛି।

ନିର୍ମାଣ ଶ୍ରମିକଙ୍କ ପାଇଁ ମଧ୍ୟ ସରକାର ପ୍ୟାକେଜ ଆଣିଛନ୍ତି। ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠିରେ ଥିବା ୩୧ ହଜାର କୋଟି ଟଙ୍କାର ଅର୍ଥକୁ ୩.୫ କୋଟି ପଞ୍ଜୀକୃତ ଶ୍ରମିକଙ୍କ ପାଇଁ ଉପଯୋଗ କରାଯିବ। ଏଥିପାଇଁ ରାଜ୍ୟ ସରକାରଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ରୋଗର ସଂକ୍ରମଣକୁ ରୋକିବା ଏବଂ ଚିକିତ୍ସା ଲାଗି ଆବଶ୍ୟକ ଡାକ୍ତରୀ ପରୀକ୍ଷା, ଯାଞ୍ଚ ଓ ଅନ୍ୟାନ୍ୟ ସୁବିଧା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲା ଖଣିଜ ପାଣ୍ଠିକୁ ବିନିଯୋଗ କରିପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ କୁହାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଏହି ପ୍ୟାକେଜ ଘୋଷଣା ଅବସରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀ, ଆର୍ଥିକ ସେବା ବ୍ୟାପାର ସଚିବ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର