ପ୍ରଧାନମନ୍ତ୍ରୀ ମୋଦିଙ୍କ ୮୪ଟି ବିଦେଶୀ ରାଷ୍ଟ୍ର ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୧,୪୮୪ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ବାବଦରେ ଦେଶର ରାଜକୋଷରୁ ୧ ହଜାର ୪୮୪ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୪ ମେ ମାସରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ୮୪ଟି ରାଷ୍ଟ୍ର ଗସ୍ତ କରିବା ଅବସରରେ ଏହି ଅର୍ଥ ବ୍ୟୟ ହୋଇଛି। ତେବେ, ଏହି ବାବଦ ଅର୍ଥ କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚାଟର୍ଡ ବିମାନ, ପ୍ରଧାନମନ୍ତ୍ରୀଙ୍କ ବିମାନର ରକ୍ଷଣାବେକ୍ଷଣ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ହଟ୍‌ଲାଇନ୍‌ ବାବଦରେ ଖର୍ଚ୍ଚ ହୋଇଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଆଜି ସଂସଦର ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ଏଥି ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିମାନର ରକ୍ଷଣାବେକ୍ଷଣ ବାବଦରେ ୧,୦୮୮.୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚାଟାର୍ଡ ବିମାନ ବାବଦରେ ୩୮୭.୨୬ କୋଟି ଓ ବିଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ହଟ୍‌ଲାଇନ୍‌ ବାବଦରେ ଖର୍ଚ୍ଚ ହୋଇଛି ୯.୧୨ କୋଟି ଟଙ୍କା। ୨୦୧୪ ମେ ମାସ ପର ଠାରୁ ପ୍ରଧାନମନ୍ତ୍ରୀ ମୋଦି ୪୨ ଥର ବିଦେଶ ଗସ୍ତରେ ଯିବା ସହ ୮୪ଟି ରାଷ୍ଟ୍ର ଗସ୍ତ କରିଛନ୍ତି।

ତେବେ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଆଜି ସଂସଦର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସଂପର୍କିତ ଯେଉଁ ଖର୍ଚ୍ଚ ତାଲିକା ଉପସ୍ଥାପିତ କରିଛନ୍ତି, ସେଥିରେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ କାଳରେ ହଟ୍‌ଲାଇନ୍‌ ବାବଦରେ ହୋଇଥିବା ଖର୍ଚ୍ଚ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଚାଟାର୍ଡ ବିମାନ ବାବଦରେ ହୋଇଥିବା ଖର୍ଚ୍ଚକୁ ସାମିଲ କରାଯାଇ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି ୨୦୧୪-୧୫ରେ ପ୍ରଧାନମନ୍ତ୍ରୀ ଭାବେ ୧୩ଟି ରାଷ୍ଟ୍ର ଗସ୍ତ କରିଥିବା ବେଳେ ୨୦୧୫-୧୬େରେ ୨୪ଟି, ୨୦୧୬-୧୭ରେ ୧୮ଟି ଏବଂ ୨୦୧୭-୧୮ରେ ୧୯ଟି ବିଦେଶୀ ରାଷ୍ଟ୍ର ଗସ୍ତ କରିଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଆଜି ସଂସଦର ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର