ଆଇଆଇଏମ୍‌ ସମ୍ବଲପୁର ପାଇଁ ୪୦୨ କୋଟି

ନୂଆଦିଲ୍ଲୀ : ସମ୍ବଲପୁରରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଆଇଆଇଏମ୍‌)ରେ ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ କରାଯିବ। ଏଥିପାଇଁ ୪୦୧.୯୪ କୋଟି ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଂଜୁରି ଦିଆଯାଇଛି। ବୈଠକରେ ଆଇଆଇଏମ୍‌ ସମ୍ବଲପୁର ସମେତ ୭ଟି ଆଇଆଇଏମ୍‌ରେ ସ୍ଥାୟୀ କ୍ୟାମ୍ପସ୍‌ର ନିର୍ମାଣ ଓ କାର୍ଯ୍ୟକାରିତାକୁ ମଂଜୁରି ଦିଆଯାଇଛି। ଏଥିପାଇଁ ମୋଟ ୩,୭୭୫.୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ତନ୍ମଧ୍ୟରୁ କ୍ୟାମ୍ପସ୍‌ ନିର୍ମାଣରେ ୨,୮୦୪.୦୯ କୋଟି ଟଙ୍କା ବ୍ୟୟ ହେବ। ଏହି ଆଇଆଇଏମ୍‌ଗୁଡ଼ିକ ଅମୃତସର, ବୋଧଗୟା, ନାଗପୁର, ସମ୍ବଲପୁର, ସିରମୌର, ବିଶାଖାପଟନମ୍‌ ଓ ଜମ୍ମୁରେ ରହିଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଆଇଆଇଏମ୍‌ଗୁଡ଼ିକ ୨୦୧୫-୧୬ ଏବଂ ୨୦୧୬-୧୭ରେ ସ୍ଥାପନ କରାଯାଇଥିଲା। କିନ୍ତୁ ଏଠାରେ ସ୍ଥାୟୀ କ୍ୟାମ୍ପସ୍‌ ନଥିଲା। ତେବେ ୨୦୨୧ ଜୁନ୍‌ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟ ସଂପନ୍ନ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଦେଶରେ ମୋଟ ୨୦ ଆଇଆଇଏମ୍‌ ନିଜସ୍ୱ ସ୍ଥାୟୀ କ୍ୟାମ୍ପସ୍‌ରେ ପରିଚାଳିତ ହେବେ ବୋଲି ଜଣାପଡ଼ିଛି।

ପ୍ରସ୍ତାବ ଅନୁସାରେ ପ୍ରତ୍ୟେକ ଆଇଆଇଏମ୍‌ ୬୦,୩୮୪ ବର୍ଗମିଟରର କ୍ୟାମ୍ପସ୍‌ ନିର୍ମାଣ କରିବେ, ଯେଉଁଠାରେ ୬୦୦ ଛାତ୍ରଛାତ୍ରୀଙ୍କ (ପ୍ରତି ଆଇଆଇଏମ୍‌) ନିମନ୍ତେ ପୂର୍ଣ୍ଣାଙ୍କ ଭିତ୍ତିଭୂମି ସୁବିଧା ଉପଲବ୍ଧ ହେବ। ୫ ବର୍ଷ ପାଇଁ ଛାତ୍ର ପିଛା ୫ ଲକ୍ଷ ଟଙ୍କା ହିସାବରେ ଏହି ଅନୁଷ୍ଠାନଗୁଡ଼ିକୁ ଅନୁଦାନ ମଂଜୁର କରାଯାଇଛି। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ନିଜସ୍ୱ ଆଭ୍ୟନ୍ତରୀଣ ପାଣ୍ଠିରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ କରିବେ।

ଏହି ଆଇଆଇଏମ୍‌ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ପେସାଦାର ମ୍ୟାନେଜର ଭାବେ ଗଢ଼ିତୋଳିବା ପାଇଁ ଉନ୍ନତ ଶିକ୍ଷା ପ୍ରଦାନ କରିବେ। ତେବେ କ୍ୟାବିନେଟ୍‌ର ଏଭଳି ମଂଜୁରି ଦେଶରେ ଅର୍ଥନୈତିକ ଓ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର