ପୁଣି ୫୦୦୦ କୋଟି ଋଣ ଠକେଇ : ନାଇଜେରିଆରେ ଲୁଚିଛନ୍ତି ଅଭିଯୁକ୍ତ ବ୍ୟବସାୟୀ

ନୂଆଦିଲ୍ଲୀ : ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ୍‌ ଚୋକ୍‌ସିଙ୍କ ପରେ ଆଉ ଜଣେ ବ୍ୟବସାୟୀ ଋଣ ଠକେଇ କରି ଫେରାର୍‌ ହୋଇଯାଇଛନ୍ତି। ସେ ହେଉଛନ୍ତି ଗୁଜରାଟର କଂପାନି ‘ଷ୍ଟର୍ଲିଂ ବାୟୋଟେକ୍‌’ର ମାଲିକ ନୀତୀନ ସନ୍ଦେସରା। ସେ ପାଞ୍ଚ ହଜାର କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ଆନ୍ଧ୍ର ବ୍ୟାଙ୍କ ସମେତ ଅନ୍ୟ କିଛି ବ୍ୟାଙ୍କରୁ ସେ ଏହି ଋଣ ନେଇଥିଲେ। ଏବେ ସେ ନାଇଜେରିଆରେ ନିଜ ପରିବାରବର୍ଗ ସହ ରହୁଥିବା ସୂଚନା ମିଳିଛି।

ଗତ ମାସ ୧୬ ତାରିଖରେ ଦୁବାଇ ପୁଲିସ ନୀତୀନଙ୍କୁ ଗିରଫ କରିଥିବା ଖବର ପ୍ରକାଶ ପାଇଥିଲା। ତେବେ ତାହା ସମ୍ପୂର୍ଣ୍ଣ ମିଛ ବୋଲି ଦେଶର ଏକ ପ୍ରମୁଖ ତଦନ୍ତ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି। ସେ କହିଲେ, ସେମିତି କିଛି ଘଟଣା ଘଟିନଥିଲା। ଦୁବାଇ ପୁଲିସ କେବେ ବି ନୀତୀନଙ୍କୁ ଅଟକ ରଖିନଥିଲା କିମ୍ବା ଗିରଫ କରିନଥିଲା। ଏହାର ବହୁ ପୂର୍ବରୁ ସେ ନିଜ ପରିବାରବର୍ଗଙ୍କ ସହ ମିଶି ୟୁଏଇ ଛାଡ଼ି ନାଇଜେରିଆ ପଳାଇଛନ୍ତି।

ଆଫ୍ରିକୀୟ ଦେଶ ନାଇଜେରିଆରୁ ନୀତୀନଙ୍କୁ ଆଣିବା ସହଜ ହେବ ନାହିଁ। କାରଣ ଏହି ଦେଶ ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ତାଙ୍କ ବିରୋଧରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବାକୁ ସିବିଆଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସନ୍ଦସେରା ଭାଇଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିବାକୁ ଇଡି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଗୁଜରାଟର ଭଦୋଦରାଠାରେ ନୀତୀନ ଓ ତାଙ୍କ ଭାଇ ଚେତନ ମିଶି ଷ୍ଟର୍ଲିଂ ବାୟୋଟେକ୍‌ ନାମରେ ଏକ କଂପାନି ପ୍ରତିଷ୍ଠା କରିଥିଲେ। ସେହି କଂପାନି ନାମରେ ସେ ଆନ୍ଧ୍ର ବ୍ୟାଙ୍କ ନେତୃତ୍ୱରେ ଗଠନ କରାଯାଇଥିବା କନ୍‌ସୋର୍ଟିୟମ୍‌ରୁ ଋଣ ନେଇଥିଲେ। ତାହାକୁ କିନ୍ତୁ ପରିଶୋଧ କରିନଥିଲେ। ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ଦାୟର କରିବା ପୂର୍ବରୁ ସେ ଦେଶ ଛାଡ଼ି ପଳାୟନ କରିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସେମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରି ତଦନ୍ତ କରାଯାଉଛି। ଦୁଇ ଭାଇଙ୍କ ପାସ୍‌ପୋର୍ଟ ରଦ୍ଦ କରିବାକୁ ଇଡି ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କୁହାଯାଇଥିଲା। ଏହି ମାମଲାରେ ଇଡି ପକ୍ଷରୁ ଦୁଇ ଭାଇ ଓ ତାଙ୍କ କଂପାନିର ୪୭୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି।

ଆୟକର ଚଢ଼ଉରୁ ଧରାପଡ଼ିଥିଲା ଜାଲିଆତି
ନୀତୀନ ଓ ଚେତନଙ୍କ ଦ୍ୱାରା କରାଯାଇଥିବା ଠକେଇ ବିଷୟରେ ପ୍ରଥମେ ୨୦୧୧ରେ ଜଣାପଡ଼ିଥିଲା। ଆୟକର ବିଭାଗ ପକ୍ଷରୁ ସେହି ସମୟରେ କରାଯାଇଥିବା ଏକ ଚଢ଼ଉ ବେଳେ ଏକ ଡାଏରି ମିଳିଥିଲା ଯେଉଁଥିରେ ବହୁ ରାଜନେତା, ଆୟକର ଆୟୁକ୍ତ ସ୍ତରର ଲୋକମାନଙ୍କ ନାମ ରହିଥିଲା ଯାହାଙ୍କୁ କଂପାନି ଟଙ୍କା ଦେଉଥିଲା। ସେହି ଡାଏରିକୁ ଆଧାର କରି ସିବିଆଇ ଏକ ମାମଲା ଦାୟର କରିଥିଲା ଓ ତିନି ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ଭାରତରେ କୋଟି କୋଟି ଟଙ୍କାର ଠକେଇ କରି ବିଦେଶ ଚାଲିଯାଇଥିବା ୩୧ ଜଣ ପଳାତକଙ୍କ ମଧ୍ୟରୁ ନୀତୀନ ହେଉଛନ୍ତି ଜଣେ।

ସମ୍ବନ୍ଧିତ ଖବର