ଆର ଏସ୍‌ ଏସ୍‌ ର ଦାବି:୧୯୬୨ ଯୁଦ୍ଧର ଦସ୍ତାବିଜ ସାର୍ବଜନୀନ ହେଉ

ନୂଆଦିଲ୍ଲୀ: ୧୯୬୨ ମସିହାରେ ହୋଇଥିବା ଭାରତ-ଚୀନ୍‌ ଯୁଦ୍ଧର ଦସ୍ତାବିଜ ସମେତ ୧୯୪୭ ପରଠାରୁ ହୋଇଥିବା ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ଯୁଦ୍ଧ ଦସ୍ତାବିଜ ସାର୍ବଜନୀନ କରିବାକୁ ଆର୍‌୍‌ଏସ୍‌ଏସ୍‌ ଦାବି କରିଛି। ଏହି ଦସ୍ତାବିଜକୁ ‘ଭାରତର ପ୍ରତିରକ୍ଷା ଇତିହାସ’ ଭାବେ ଇତିହାସର ଛାତ୍ରଛାତ୍ରୀଙ୍କୁ ପଠାଇବାକୁ ଆରଏସ୍‌ଏସ୍‌ କହିଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଇତିହାସ ଶାଖା ମଧ୍ୟ ଏ ଦିଗରେ ସକ୍ରିୟ ହୋଇଉଠିଛି। ୧୯୬୨ ଯୁଦ୍ଧରେ ଭାରତକୁ ଅନେକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ଯୁଦ୍ଧରେ କ’ଣ ଘଟିଥିଲା ସେ ନେଇ ବିସ୍ତତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ରିପୋର୍ଟକୁ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ରିପୋର୍ଟ ପ୍ରସ୍ତୁତ ହେବାର କିଛି ବର୍ଷ ପରେ ଏହାର କିଛି ଅଂଶ ପ୍ରଘଟ ହୋଇଥିଲା।

ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ୧୯୬୨ ଯୁଦ୍ଧ ପାଇଁ ଦାୟୀ କରାଯାଇଥିଲା। ଗୋଟିଏ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ୨ ହଜାରରୁ ଅଧିକ ଭାରତୀୟ ସୈନିକ ସହିଦ ହୋଇଯାଇଥିଲେ ଏବଂ ୪ ହଜାରରୁ ଅଧିକ ସୈନିକଙ୍କୁ ଯୁଦ୍ଧବନ୍ଦୀ କରାଯାଇଥିଲା। ଏହି ଯୁଦ୍ଧର ସମସ୍ତ ଦସ୍ତାବିଜ ସାର୍ବଜନୀନ ହେଲେ ଉଭୟ ଦେଶବାସୀ ଏବଂ ସେନାବାହିନୀ ଏଥିରୁ ଶିକ୍ଷାଲାଭ କରି ଭବିଷ୍ୟତର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି ସଂଘର ସଂଗଠନ ସଚିବ ବାଳମୁକୁନ୍ଦ କହିଛନ୍ତି। ଭାରତୀୟ ସେନା ପାଇଁ ଏହି ରିପୋର୍ଟ ନିତାନ୍ତ ଜରୁରୀ ଏବଂ ଏ ବାବଦରେ ପୂର୍ବରୁ ମଧ୍ୟ ବହୁବାର ଦାବି ହୋଇଆସିଛି ବୋଲି ସେ କହିଛନ୍ତି। ପ୍ରତିରକ୍ଷା ବିଶେଷଜ୍ଞ ମେଜର ଗୌରବ ଆର୍ଯ୍ୟ କହିଛନ୍ତି ଯେ ୧୯୬୨ ଯୁଦ୍ଧର ଦସ୍ତାବିଜକୁ ନେଇ ଭାରତ ସରକାର ଏକ ସ୍ପଷ୍ଟ ନୀତି ଆପଣାଇବା ଆବଶ୍ୟକ। ଏହା ସାର୍ବଜନୀନ ହେଲେ ହିଁ ଦେଶ ନିଜର ଶକ୍ତି ଓ ଦୁର୍ବଳତାକୁ ଚିହ୍ନଟ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର