ଆମ ବିରୋଧରେ ସମ୍ବିଧାନ ଉଲଂଘନ କରିବାର ଗୋଟିଏ ବି ଉଦାହରଣ ନାହିଁ: ମୋହନ ଭାଗବତ

ନୂଆଦିଲ୍ଲୀ: ଆମେ ହିନ୍ଦୁ ଧର୍ମ ଉପରେ ବିଶ୍ୱାସ କରୁ କିନ୍ତୁ ମୁସଲମାନଙ୍କୁ ବିରୋଧ କରୁ ନାହୁଁ। ଆମ ବିରୋଧରେ ସମ୍ବିଧାନ ଉଲଂଘନ କଲା ଭଳି ଗୋଟିଏ ବି ଉଦାହରଣ ନାହିଁ ବୋଲି ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି। ଆଧୁନିକ ଲୋକତନ୍ତ୍ରରେ ଆମେ ସମ୍ବିଧାନକୁ ସ୍ୱୀକାର କରିଛେ। ସମ୍ବିଧାନକୁ ଆରମ ଲୋକେ ପ୍ରସ୍ତୁତ କରିଛନ୍ତି। ସମ୍ବିଧାନର ନିୟମକୁ ପାଳନ କରିବା ସମସ୍ତଙ୍କର କାମ। ସଂଘ ସବୁବେଳେ ସମ୍ବିଧାନର ନିର୍ଦ୍ଦେଶକୁ ପାଳନ କରି ଆସୁଅଛି। ସମ୍ବିଧାନର ପ୍ରତି ଶବ୍ଦ ଗୁରୁତ୍ୱପୂର୍ଣ୍ଣ। ସମ୍ବିଧାନକୁ ସମସ୍ତେ ମାନିବା ଉଚିତ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍‌)ର ଦିଲ୍ଲୀରେ ‘ଭବିଷ୍ୟତର ଭାରତ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦୃଷ୍ଟିକୋଣ’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭାଗବତ ନିଜସ୍ୱ ବିଚାର ରଖିଛନ୍ତି।

ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ, ପ୍ରକାଶ ଜାଭେଡକର, ଜିତେନ୍ଦ୍ର ସିଂହ, ରାମ ମାଧବ, ଦଳବୀର ସିଂହ ସୁହାଗ, ବିଜୟ ଗୋୟଲ, କେସି ତ୍ୟାଗୀ, ସୁବ୍ରମଣ୍ୟମ ସ୍ୱାମୀ, ଉମା ଭାରତୀ, ଆରକେ ସିଂହ ଆଦି ନେତା ସାମିଲ ହୋଇଛନ୍ତି।

ଆମର କେହି ଶତ୍ରୁ ନାହାନ୍ତି। ଦେଶରେ ହେଉ କିମ୍ବା ବିଦେଶରେ ହେଉ, ଆମର କେହିବି ଶତ୍ରୁ ନାହାନ୍ତି। ଅନ୍ୟକୁ ବଞ୍ଚାଇ ନିଜ ସାଥିରେ ନେବା ହିଁ ହିନ୍ଦୁତ୍ୱ ବୋଲି ଭାଗବତ କହିଛନ୍ତି। ଆମେ ସମସ୍ତଙ୍କୁ ସନ୍ତୁଳିତ ଓ ସମନ୍ଵୟ ବିକାଶ କରିବାକୁ ଚାହିଁଥାଉ। ରୋଜଗାର କରିବା ମୁଖ୍ୟ କଥା ନୁହେଁ, ବାଣ୍ଟିବା ହେଉଛି ମୁଖ୍ୟ କଥା। ଦେଶଭକ୍ତି, ପୂର୍ବ ଗୌରବ ଓ ସଂସ୍କୃତି ହେଉଛି ହିନ୍ଦୁତ୍ୱର ୩ ଆଧାର।

ସମ୍ବନ୍ଧିତ ଖବର