ସୁପ୍ରିମକୋର୍ଟ ହିନ୍ଦୁଙ୍କୁ ଅପମାନିତ କରିଛି: ଆରଏସ୍‌ଏସ୍‌, ୧୯୯୨ ଭଳି ଆନ୍ଦୋଳନ ଚେତାବନୀ

ନୂଆଦିଲ୍ଲୀ: ସୁପ୍ରିମ‌କୋର୍ଟ ଅଯୋଧ୍ୟ ମାମଲାର ଶୁଣାଣି ଆସନ୍ତା ଜାନୁଆରି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବାରୁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରା‌ଷ୍ଟ୍ରୀୟ ସ୍ବୟଂ ସେବକ ସଂଘ। ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ହିନ୍ଦୁମାନଙ୍କ ପାଇଁ ଅପମାନ ବୋଲି ଆରଏସ୍‌ଏସ୍‌ କହିବା ସହ ଆବଶ୍ୟକ ହେଲେ ୧୯୯୨ ଭଳି ଆନ୍ଦୋଳନ ଆରମ୍ଭ କରିବାକୁ ଚେତାବନୀ ଦେଇଛି। ସମସ୍ତ ହିନ୍ଦୁ ସଂଗଠନ ଏଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଂଘର ସାଧାରଣ ସଂପାଦକ ଭୈୟାଜୀ ଯୋଶୀ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ ପ୍ରଣୟନ କରିବା ଆବଶ୍ୟକ ଏବଂ ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ତୁରନ୍ତ ଅଧ୍ୟାଦେଶ ଆଣିବା ଉଚିତ୍‌ ବୋଲି ସେ କହିଛନ୍ତି। ଅଯୋଧ୍ୟା ମାମଲାକୁ କମ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହି ସୁପ୍ରିମକୋର୍ଟ ମାମଲାର ଶୁଣାଣିକୁ ଘୁଞ୍ଚାଇଥିବା ବେଳେ ଆରଏସଏସ୍‌ ପକ୍ଷରୁ ଆଜି ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି।

ସୁପ୍ରିମକୋର୍ଟ ମାମଲାକୁ ଯଥୋଚିତ ଗୁରୁତ୍ବ ନଦେଇ ଶୁଣାଣି ଘୁଞ୍ଚାଇବା ଦ୍ବାରା ହିନ୍ଦୁମାନଙ୍କ ଭାବନାରେ କଠୋର ଆଘାତ ଲାଗିଛି ଏବଂ ଦେଶର ମହାନ ପରମ୍ପରା ପ୍ରତି ମଧ୍ୟ ଏହା ଏକ ଶକ୍ତ ଆଘାତ ବୋଲି ଯୋଶୀ କହିଛନ୍ତି। ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ ପ୍ରଣୟନ ଦିଗରେ ଧ୍ୟାନ ଦେଲେ ହିଁ ଏ ଦିଗରେ ସମୁଚିତ ପଦକ୍ଷେପ ନିଆଯାଇ ପାରିବ ବୋଲି ସେ କହିଛନ୍ତି। ଯଦି ହିନ୍ଦୁମାନଙ୍କୁ ଅଣଦେଖା କରିବା କାର୍ଯ୍ୟ ଜାରି ରୁହେ ତା’ହେଲେ ୧୯୯୨ରେ ଯେଭଳି ଆନ୍ଦୋଳନ ହୋଇଥିଲା, ତାହାର ପୁନରାବୃତ୍ତି ପୁଣି ହେବ ଏବଂ ସମଗ୍ର ଦେଶ ଏହି ପ୍ରସଙ୍ଗରେ ତା’ର ପ୍ରତିକ୍ରିୟା ଜଣାଇବ ବୋଲି ଯୋଶୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୨୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ। କିନ୍ତୁ ସେହି ଦିନ କୋର୍ଟ ଶୁଣାଣିକୁ ଆସନ୍ତା ଜାନୁଆରି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର