ଉହାନ୍‌ରେ ଖାଦ୍ୟପାନୀୟ ଅଭାବରେ ଥାଇ ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ କବଳିତ ଚୀନ୍‌ର ଉହାନ୍‌ ସହରରେ ଥିବା ଦଳେ ଭାରତୀୟ ଛାତ୍ରଛାତ୍ରୀ ସେଠାରୁ ଉଦ୍ଧାର ପାଇବାକୁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସହର ବନ୍ଦ ରହିଥିବାରୁ ସେମାନଙ୍କ ପାଖରେ ଗଚ୍ଛିତ ଥିବା ଖାଦ୍ୟପାନୀୟ ସରିଆସୁଛି ବୋଲି ସେମାନେ କହିଛନ୍ତି।

ଉହାନ୍‌ ୟୁନିଭର୍ସିଟି ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲଜିରେ ମ୍ୟାଟେରିଆଲ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଇଞ୍ଜିନିୟରିଙ୍ଗ୍‌ ଅଧ୍ୟୟନ କରୁଥିବା ଗୌରବ ନାଥ ନାମକ ଜଣେ ୨୨ ବର୍ଷିୟ ଭାରତୀୟ ଛାତ୍ର ଗଣମାଧ୍ୟମକୁ କହିଛନ୍ତି: ସହରରେ କରୋନାଭାଇରସ୍‌ ବ୍ୟାପୀଥିବା କାରଣରୁ ଆମକୁ ଘର ଭିତରେ ରହିବାକୁ କୁହାଯାଇଛି। ତେଣୁ ପରିସର ମଧ୍ୟସ୍ଥ ଡର୍ମିଟରି ମଧ୍ୟରେ ଆମେ ପଶି ରହିଛୁ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଖରିଦ କରିବାକୁ ପଦାକୁ ଯିବା ନିମନ୍ତେ ଦୈନିକ ଆମକୁ ମାତ୍ର ୨ଘଣ୍ଟା ସମୟ ଦିଆଯାଉଛି। କିନ୍ତୁ, ସହର ବନ୍ଦ ରହିଛି। ସବୁ ଦୋକାନ ଓ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି। ଅତ୍ୟାବଶ୍ୟକୀୟ ବ୍ୟବହାର୍ଯ୍ୟ ସାମଗ୍ରୀ ସରି ଆସୁଛି। ଖୁବ୍‌ ଶୀଘ୍ର ଆମ ପାଖରୁ ଖାଦ୍ୟ ଓ ପାନୀୟ ସରିଯିବ।

ଆଠଜଣିଆ ଛାତ୍ର ଦଳରେ ଥିବା ଗୌରବ ଆହୁରି କହିଛନ୍ତି: ଆମକୁ ଉଦ୍ଧାର କରିବା ନିମନ୍ତେ ଚୀନ୍‌ରେ ଥିବା ଭାରତୀୟ ଦୂତାବାସ ଆମ ସହ ବରାବର ଯୋଗାଯୋଗ ରଖିଛି। କିନ୍ତୁ, ଯଥା ଶୀଘ୍ର ଆମକୁ ଏଠାରୁ ଉଦ୍ଧାର କରି ନେବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରୁଛୁ।

ନିବେଦନ କରିଥିବା ଛାତ୍ରଛାତ୍ରୀମାନେ ଆସାମ, ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଜମ୍ମୁ ଓ କଶ୍ମୀର ଅଞ୍ଚଳର।

Image Source: India Today

ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି: ଆମ ଦୂତାବାସ ଚୀନ୍‌ ସରକାରଙ୍କ ସହ କଥାବାର୍ତ୍ତା କରୁଛି। ଉହାନ୍‌ ସହରକୁ ଉଡ଼ାଜାହାଜ ପଠାଇ ଆମେ ଲୋକମାନଙ୍କୁ (ଅଧିକାଂଶ ଛାତ୍ରଛାତ୍ରୀ) ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଛୁ। ଉଦ୍ୟମ ଚାଲୁରହିଛି। ମୁଁ ନିର୍ଭର ପ୍ରତିଶ୍ରୁତି ଦେଇ କହୁଛି ଯେ କେନ୍ଦ୍ର ସରକାର ଏଥି ନିମନ୍ତେ କାମ ଚଳାଇଛନ୍ତି ଏବଂ ଖୁବ୍‌ ଶୀଘ୍ର ସମାଧାନର ବାଟ ଫିଟିଯିବ।

ଦ୍ରୁତ ବେଗରେ ବ୍ୟାପୁଥିବା କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ଏଯାବତ୍‌ ଚୀନ୍‌ରେ ୧୩୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦୦୦ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ବୋଲି ବୁଧବାର ସକାଳେ ଚୀନ୍‌ର ସରକାରୀ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର