ରୁଷ୍‌-ଆମେରିକା ମୁହାଁମୁହିଁ: ତୃତୀୟ ବିଶ୍ୱଯୁଦ୍ଧ ଆତଙ୍କ

ଓ୍ଵାସିଂଟନ: ଶୀତଳ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦୁଇ ମହାଶକ୍ତି ଆମେରିକା ଏବଂ ରୁଷ୍‌ ଏବେ ମୁହାଁମୁହିଁ ହୋଇଛନ୍ତି। ସିରିୟାରେ ଆମେରିକା ଓ ଏହାର ମିତ୍ରରାଷ୍ଟ୍ରଙ୍କ ପ୍ରଚଣ୍ଡ ଆକ୍ରମଣର ଯଦି ରୁଷ୍‌ ଜବାବ ଦେବ ତା’ହେଲେ ବିଶ୍ୱ ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ମୁହାଁଇବ। ସିରିୟା ଉପରେ ଆକ୍ରମଣ କରିଥିବା କୌଣସି ରାଷ୍ଟ୍ର ବର୍ତ୍ତିପାରିବେ ନାହିଁ ବୋଲି ରୁଷ୍‌ର ଧମକ ପରେ ଏହି ଆଶଙ୍କା ଘନିଭୂତ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ଏକଚାଟିଆ ନିଷ୍ପତ୍ତି, ରୁଷ୍‌ ବିରୋଧରେ କଠୋର ଆର୍ଥିକ କଟକଣା ଏବଂ ଏହାର ସହଯୋଗୀ ରାଷ୍ଟ୍ରଙ୍କ ଉପରେ ଆକ୍ରମଣ ଯୋଗୁଁ ମାମଲା ଜଟିଳ ରୂପ ନେଇଛି । ଅନ୍ୟପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ପ୍ରତିଟି ଚାଲ୍‌କୁ ପଣ୍ଡ କରିବା ପାଇଁ ରଣନୀତି ତୟାର କରୁଛନ୍ତି। ମଧ୍ୟପ୍ରାଚ୍ୟରେ ଆଧିପତ୍ୟ ବିସ୍ତାର ପାଇଁ ଆମେରିକା ଏବଂ ରୁଷ୍‌ର ଲଢ଼େଇ ଆଗକୁ ଭୟାନକ ରୂପ ନେବ ବୋଲି କୂଟନୀତି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସମଗ୍ର ମାମଲା ତୈଳ ସମ୍ପଦକୁ କେନ୍ଦ୍ର କରି ଚାଲିଛି ଏବଂ ଉଭୟ ଆମେରିକା ଓ ରୁଷ୍‌୍‌ ଏହି ତୈଳ ସମ୍ପଦର ଖେଳରେ ନିଜକୁ ଚାମ୍ପିୟନ ସାବ୍ୟସ୍ତ କରିବାକୁ ଚାହୁଛନ୍ତି। ସିରିୟା ଏବଂ ଇରାନ୍‌କୁ ରୁଷ୍‌ ପୂର୍ଣ୍ଣ ସମର୍ଥନ ଦେଉଥିବା ବେଳେ ଆମେରିକା ଏହି ଦୁଇ ରାଷ୍ଟ୍ରକୁ ତଳିତଳାନ୍ତ କରିବାକୁ ଯୋଜନା କରୁଛି। ଇସ୍ରାଏଲ ଆମେରିକାର ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରୁଛି ଏବଂ ମଧ୍ୟପ୍ରାଚ୍ୟର ୧୮ଟି ରାଷ୍ଟ୍ରରୁ ୭ଟି ରାଷ୍ଟ୍ର ଆମେରିକାର ସମର୍ଥନରେ ଅଛନ୍ତି। ସାଉଦି ଆରବ ଏବଂ ୟୁଏଇ ଆମେରିକାର ପ୍ରତିଟି ପଦକ୍ଷେପକୁ ସମର୍ଥନ କରୁଛନ୍ତି। ତୈଳ ସଂପଦ ଉପରେ ଆମେରିକା ନିଜର କବ୍‌୍‌ଜା କାଏମ ରଖିବାକୁ ନିଜ ମିତ୍ର ରାଷ୍ଟ୍ରଙ୍କ ସହାୟତାରେ ମଧ୍ୟପ୍ରାଚ୍ୟରେ ବିଭୀଷିକା ସୃଷ୍ଟି ପାଇଁ ମଧ୍ୟ ପଛାଉ ନାହିଁ।

ଆମେରିକା ନିଜ ଇଛା ମୁତାବକ ଆତଙ୍କ ସୃଷ୍ଟି କରିବାକୁ ଚାହୁଛି ଏବଂ ଏଭଳି ସ୍ଥିତିରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି ରୁଷ୍‌ ପରିବହନ ମନ୍ତ୍ରୀ ମାକ୍ସିମ ସୋକ୍‌ଲୋଭ୍‌ କହିଛନ୍ତି। ଆମେରିକା ନିକଟରେ ରୁଷ୍‌ ବିରୋଧରେ ଲାଗୁ କରିଥିବା ଆର୍ଥିକ କଟକଣାର ଜବାବରେ ରୁଷ୍‌ ମଧ୍ୟ କଠୋର କଟକଣା ଲାଗୁ କରିବ ବୋଲି ସେ କହିଛନ୍ତି। ମାକ୍ସିମ ସୋକ୍‌ଲୋଭ୍‌ ଆମେରିକାର ନୀତିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହି ଦାଦାଗିରି ବିରୋଧରେ ରୁଷ୍‌ ନିଜ ମିତ୍ର ରାଷ୍ଟ୍ରମାନଙ୍କୁ ଏକଜୁଟ କରୁଛି ଏବଂ ଖୁବ୍‌୍‌ ଶୀଘ୍ର ଆମେରିକା ପରିଣାମ ଭୋଗିବ। ରୁଷ୍‌ ସରକାର ଆଜି ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରିବା ପରେ ରୁଷ୍‌-ଆମେରିକା ସଂପର୍କ ଅତି ତିକ୍ତ ସ୍ତରକୁ ଯାଇଛି। ଚଳିତମାସ ଆରମ୍ଭରେ ଟ୍ରମ୍ପ୍‌ ପ୍ରଶାସନ ୩୮ଟି ରୁଷ୍‌ କମ୍ପାନି ବିରୋଧରେ କଟକଣା ଲାଗୁ କରିଥିଲେ ଏବଂ ରୁଷ୍‌ ସହ କାରବାରକୁ ସଙ୍କୁଚିତ କରିଦେଇଥିଲେ। ଏହାର ଜବାବରେ ରୁଷ୍‌୍‌ ଏହାଠାରୁ ଅଧିକ କଠୋର କଟକଣା ଲାଗୁ କରିବ ବୋଲି ଘୋଷଣା କରିବା ପରେ ଆଗକୁ ବିଶ୍ୱ ଅର୍ଥନୀତି ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର