ଭିଡ଼ ହିଂସା ପ୍ରସଙ୍ଗ:ରାଜସ୍ଥାନକୁ ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଭିଡ଼ ହିଂସା ପ୍ରସଙ୍ଗରେ ସୋମବାର ସୁପ୍ରିମ୍‌କୋର୍ଟ ରାଜସ୍ଥାନ ସରକାରଙ୍କୁ ଜବାବ ମାଗିଛନ୍ତି। ଏ ବାବଦରେ ଏକ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏକ ଅଦାଲତ ଅବମାନନା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ଦେଶରେ ଭିଡ଼ ହିଂସା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଜୁଲାଇ ୧୭ରେ ସମାଲୋଚନା କରିଥିଲେ। ଏ ନେଇ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାର କିଛିଦିନ ପରେ ରାଜସ୍ଥାନରେ ଭିଡ଼ ହିଂସା ଦ୍ୱାରା ଜଣଙ୍କୁ ହତ୍ୟା କରାଯାଇଥିଲା। ଏହାଦ୍ୱାରା ରାଜ୍ୟ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା କରିଛି ବୋଲି ଏଥିରେ ଦର୍ଶାଯାଇଛି। ତେହସିନ୍‌ ପୁନାଓ୍ଵାଲାଙ୍କ ପକ୍ଷରୁ ହୋଇଥିବା ପିଟିସନ୍‌ର ଶୁଣାଣି ପରେ ବିସ୍ତତ ସତ୍ୟପାଠ ଦାଖଲ ପାଇଁ କୁହାଯାଇଛି। ଏହାବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟକୁ ମଧ୍ୟ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭିଡ଼ ହିଂସା ବାବଦରେ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଖିରେ ରଖି କିଭଳି ପଦକ୍ଷେପ ନିଆଯାଇଛି ସେ ନେଇ ସତ୍ୟପାଠରେ ଦର୍ଶାଇବା ଲାଗି କୁହାଯାଇଛି। ଜୁଲାଇ ୧୭ରେ ଖଣ୍ଡପୀଠ ଦେଶବ୍ୟାପୀ ବଢ଼ିଥିବା ଭିଡ଼ ହିଂସା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।

ସମ୍ବନ୍ଧିତ ଖବର