ଭାରତ ଆମେରିକା ଆଡକୁ ଢଳୁଥିବାରୁ ଋଷିଆ ଚିନ୍ତିତ, ଭାରତ ସହ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ପାଇଁ ପ୍ରସ୍ତାବ ଦେଲା

ମସ୍କୋ : ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ନାଟୋ ରାଷ୍ଟ୍ରଙ୍କ ପରି ସମାନ ମାନ୍ୟତା ଏସଟିଏ-୧ ପ୍ରଦାନ କରିବା ପରେ ଋଷିଆ ମଧ୍ୟ ଭାରତକୁ ସମାନ ମାନ୍ୟତା ଦେବା ପାଇଁ ଆଗ୍ରହ ଦେଖାଇଛି । ପୁରୁଣା ବନ୍ଧୁ ଭାରତକୁ ଆମେରିକା ନିଜ ଆଡ଼କୁ ଆକୃଷ୍ଟ କରୁଥିବାରୁ ଋଷିଆ ଭାରତ ସହ ନିଜର ବନ୍ଧୁତ୍ୱକୁ ଆହୁରି ନିବିଡ କରିବାକୁ ପଦକ୍ଷେପ ନେଇଛି । ଗତ ଦୁଇ ବର୍ଷ ତଳେ ଅର୍ଥାତ ୨୦୧୬ ମସିହାରେ ଆମେରିକା ଭାରତ ସହ ଏକ ମିଲିଟାରୀ ଲଜିଷ୍ଟିକ୍ସ ସହାୟତା ଚୁକ୍ତି (ଲେମୋଆ) କରିଥିଲା । ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ସାମରିକ ସହଯୋଗୀମାନଙ୍କ ସହ ଏହି ଚୁକ୍ତି କରାଯାଇଥାଏ । ସେବେଠାରୁ ଋଷିଆ ଭାରତ ସହ ସମାନ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲା । ଗତ ମାସରେ ଋଷିଆ ଏହି ପ୍ରସ୍ତାବିତ ଚୁକ୍ତିର ଏକ ଚିଠା ପଠାଇଥିଲା । ଏହି ଚିଠା ଭାରତର ପସନ୍ଦ ହୋଇଥିବା ସୂଚନା ମିଳିଛି । ଆଉ ମାତ୍ର କିଛି ମାସ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଯିବାର ସମ୍ଭାବନା ରହିଛି । ଆମେରିକା ସହ ଭାରତ କରିଥିବା ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ପାଇଁ ଭାରତ ପ୍ରାୟ ୧୫ ବର୍ଷ ହେଲା ଉଦ୍ୟମ କରିଆସୁଥିଲା । ତେବେ ଋଷିଆ ସହିତ ଭାରତ ଏହି ଚୁକ୍ତି କଲେ ଆମେରିକାର ପ୍ରତିକ୍ରିୟା କଣ ରହିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସମ୍ବନ୍ଧିତ ଖବର