ରିୟାନ୍‌ ସ୍କୁଲ୍‌ ହତ୍ୟାକାଣ୍ଡ: ୧୬ ବର୍ଷିୟ କିଶୋରଙ୍କ ବିଚାର ପ୍ରାପ୍ତ ବୟସ୍କଙ୍କ ଭଳି କରାଯିବ

ଗୁରୁଗ୍ରାମ: ରିୟାନ୍‌ ସ୍କୁଲ୍‌ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୧୬ ବର୍ଷିୟ କିଶୋରଙ୍କ ବିଚାର ପ୍ରାପ୍ତ ବୟସ୍କଙ୍କ ଭଳି କରାଯିବ ବୋଲି ବୁଧବାର ଦିନ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ରାୟ ଦେଇଛି।

ଭୋନ୍ଦସିସ୍ଥିତ ରିୟାନ୍‌ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲ୍‌ର ଏକାଦଶ ଶ୍ରେଣୀର ଛାତ୍ରଜଣକ ସ୍କୁଲ୍‌ ଟଏଲେଟ୍‌ରେ ସେପ୍ଟେମ୍ବର ୮ ତାରିଖ ଦିନ ୭ ବର୍ଷିୟ ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କ ତଣ୍ଟି କାଟି ଦେଇଥିଲେ।

Image Courtesy of India Today

ରାୟ ଶୁଣାଇବା ବେଳେ ବୋର୍ଡ କହିଛି ଯେ ସେ ଘୃଣ୍ୟ ଅପରାଧ କରିଛନ୍ତି। ମାମଲାଟିକୁ ସେସନ୍‌ କୋର୍ଟକୁ ସ୍ଥାନାନ୍ତର କରି ବୋର୍ଡ କହିଛି ଯେ ପରିସ୍ଥିତିରୁ ଜଣା ପଡୁଛି, ନିଜ କାର୍ଯ୍ୟର ପରିଣାମ ହେଜିବାକୁ କିଶୋରଜଣକ ଯଥେଷ୍ଟ ପରିପକ୍ୱ। ସେ ଦଣ୍ଡବିଧାନକୁ ଏଡ଼ାଇବାକୁ ମଧ୍ୟ ଉପାୟ ଚିନ୍ତା କରୁଛି।

ଏ ଭଳି ଆଦେଶରେ କିଶୋରଙ୍କ ପରିବାର ହତାଶା ବ୍ୟକ୍ତ କରିଥିବାବେଳେ ପୀଡ଼ିତ ପ୍ରଦ୍ୟୁମ୍ନ ଠାକୁରଙ୍କ ପରିବାର ଏଥିରେ ସନ୍ତୁଷ୍ଟ ବୋଲି କହିଛନ୍ତି। ସେମାନେ ଆହୁରି କହିଛନ୍ତି କି, ଏକ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ସେମାନେ ଉଦ୍ୟମ କରୁଛନ୍ତି। ଫଳରେ ପିଲାମାନଙ୍କ ମନରୁ ହତ୍ୟା କରିବାର ଉତ୍ସୃଙ୍ଖଳତା ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର