ଦୁଇ ମହିଳାଙ୍କ ସାବରିମାଲା ମନ୍ଦିର ପ୍ରବେଶ: କେରଳର ବିଭିନ୍ନ ସ୍ଥାନରେ ପ୍ରତିବାଦ

ତିରୁବନନ୍ତପୁରମ: ବୁଧବାର ଦିନ ୧୦ ରୁ ୫୦ ବର୍ଷ ମଧ୍ୟରେ ଦୁଇ ମହିଳା ସାବରିମାଳା ମନ୍ଦିରରେ ପ୍ରବେଶ କରିବା ଯୋଗୁଁ କେରଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଚାଲିଛି ଏବଂ ରାଜ୍ୟରେ ଅସ୍ଥିରତା ଲାଗି ବିରୋଧୀ ଦଳ ପିନରାୟି ବିଜୟ ନେତୃତ୍ୱାଧୀନ ବାମ ସାମ୍ମୁଖ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ବୁଧବାର ସନ୍ଧ୍ୟାରେ ସଂଘର୍ଷ ସମୟରେ ଆହତ ହୋଇଥିବା ସାବରିମାଲା କର୍ମ ସମିତିର ଜଣେ କର୍ମୀଙ୍କର ବିଳମ୍ବିତ ରାତ୍ରୀରେ ମୃତ୍ୟୁ ଘଟିଥିଲା। ମୃତ କର୍ମୀ ହେଉଛନ୍ତି ୫୫ ବର୍ଷିୟ ଚନ୍ଦ୍ରନ ଉନ୍ନିତାନ। ପାଣ୍ଡାଲାମ ଠାରେ ଭାରତୀୟ ଜନତା ପାର୍ଟି ଏବଂ ଶାସକ ସିପିଆଇ (ଏମ୍‌) କର୍ମୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ତାଙ୍କ ମୁଣ୍ଡରେ ଢେଲାମାଡ଼ ହୋଇଥିଲା।

ଘଟନାର ତଦନ୍ତ ଆରମ୍ଭ ହୋଇଥିବା କଥା ପୁଲିସ କହିଛି।

ସାବରିମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ଘଟନା ଯୋଗୁଁ ବିରୋଧୀ ମେଣ୍ଟ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଆଜି କେରଳରେ ‘କଳା ଦିବସ’ ପାଳନ କରୁଛି।

ୟୁଡିଏଫ୍‌ ବ୍ୟତୀତ କେତେକ ହିନ୍ଦୁ ସଂଗଠନ ମଧ୍ୟ ସକାଳୁ ସନ୍ଧ୍ୟାଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

ରାଜଧାନୀର ରେଳ ଷ୍ଟେସନ୍‌ ଏବଂ ଅନ୍ୟ କେତେକ ସ୍ଥାନରେ ଅଟୋରିକ୍ସା ଏବଂ ଦୁଇଚକିଆ ଯାନ ଚଳାଚଳ କରୁଛି। କୋଝିକୋଡ଼ ଠାରେ ପ୍ରତିବାଦକାରୀମାନେ ସକାଳେ ପୁରୁଣା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ହରତାଳ ଡାକରା ଦେଇଛନ୍ତି ସାବରିମାଳା କର୍ମ ସମିତି ଏବଂ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ୍‌।

ବନ୍ଦକୁ ବିଜେପି ସମର୍ଥନ କରୁଥିବା ବେଳେ କଂଗ୍ରେସନେତୃତ୍ୱାଧୀନ ୟୁଡିଏଫ୍‌ ଗୁରୁବାରକୁ କଳା ଦିବସ ଭାବେ ପାଳନ କରୁଛି।

କେରଳ, ମହାତ୍ମା ଗାନ୍ଧୀ, କାଲିକଟ୍‌ ଏବଂ କନ୍ନୁର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁରୁବାର ଦିନ ଥିବା ସେମାନଙ୍କର ପରୀକ୍ଷା ବାତିଲ କରିଛନ୍ତି।

ସମ୍ବନ୍ଧିତ ଖବର