ଅଭୁତପୂର୍ବ ସୁରକ୍ଷା ମଧ୍ୟରେ ଖୋଲିଲା ସବରିମାଲା, ଏପର୍ଯ୍ୟନ୍ତ କୌଣସି ମହିଳା ପ୍ରବେଶ ଉଦ୍ୟମ କରିନାହାନ୍ତି

ତିରୁଅନନ୍ତପୁରମ : ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସବରିମାଲା ଖୋଲିଛି । ମାତ୍ର ଦିନକ ପାଇଁ ମନ୍ଦିର ଖୋଲିଥିବାରୁ  ଦର୍ଶନ କରିବା ପାଇଁ ପ୍ରବଳ ଭୀଡ ପରିଲକ୍ଷିତ ହୋଇଛି । କେରଳର ଅତିରିକ୍ତ ପୁଲିସ ଡିଜି ଓ ଦୁଇଜଣ ଆଇଜିଙ୍କ ତଦାରଖରେ ପ୍ରାୟ ୨ ହଜାର ପୁଲିସ କର୍ମୀ ମନ୍ଦିର ଓ ଆଖପାଖ ଅଞ୍ଚଳରେ ମୃତୟନ ହୋଇଛନ୍ତି । ଅନ୍ୟପକ୍ଷରେ ପଥନମିଥା ଜିଲ୍ଲାପାଳ ( ଏହି ଜିଲ୍ଲାରେ ସବରିମାଲା କ୍ଷେତ୍ର ଆସୁଅଛି )  ପିବି ନୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ମନ୍ଦିରରେ ପ୍ରବେଶ କରିବା ଲାଗି କୌଣସି ମହିଳା ପୁଲିସର ସହାୟତା ମାଗିନାହାନ୍ତି । ଯଦି କୌଣସି ମହିଳା ସୁରକ୍ଷା ମାଗନ୍ତି ତେବେ ତାଙ୍କୁ ସବୁପ୍ରକାରର ସୁରକ୍ଷା ଯୋଗାଇଦିଆଯିବ । ଏଠାରେ ସୂଚନାଯୋଗ୍ୟ ଯେ ଗତ ମାସ ୧୭ରେ ଏହି ମନ୍ଦିର ମାସିକ ପୂଜା ପାଇଁ ଖୋଲିଥିବାବେଳେ କେତେକ ମହିଳା ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପୁଲିସର ଉପସ୍ଥିତି ସତ୍ତ୍ୱେ ପ୍ରବଳ ବିରୋଧ ଯୋଗୁଁ କୌଣସି ମହିଳା ପ୍ରବେଶ କରିପାରିନଥିଲେ ।ସୂଚନାଯୋଗ୍ୟ ଯେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର