ଆସନ୍ତା କାଲି ଖୋଲିବ ସାବ୍ରିମାଲା କ୍ଷେତ୍ର, ସ୍ଥିତି ବିଗିଡିବା ଆଶଙ୍କା, ଶାନ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ତିରୁଅନନ୍ତପୁରମ : କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବ୍ରିମାଲାରେ ମହିଳଙ୍କ ପ୍ରବେଶନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ନେଇ କେରଳରେ ନିୟମିତ ବିରୋଧ ପ୍ରଦର୍ଶନ କରାଯାଉଛି । ହିନ୍ଦୁବାଦୀ ସଂଗଠନଗୁଡ଼ିକ ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରୁଛନ୍ତି । ଏପରିକି ଆସନ୍ତା କାଲିଠାରୁ ମନ୍ଦିର ଖୋଲା ଯାଉଥିବାବେଳେ ଯଦି କୌଣସି ମହିଳା ପ୍ରବେଶ କରନ୍ତି ତେବେ ତାଙ୍କୁ ପ୍ରବଳ ବିରୋଧ କରାଯିବ ଏପରିକି ସେମାନଙ୍କ ବସ୍ତ୍ର ଚିରିଦିଆଯିବ ବୋଲି ବିକ୍ଷୋଭକାରୀମାନେ ଧମକ ଦେଇଛନ୍ତି । ଅନ୍ୟପକ୍ଷରେ ସାବ୍ରିମାଲା କ୍ଷେତ୍ର ଥିବା କେରଳର ପଥନାମିଟ୍ଟା ଲୋକସଭା ମଣ୍ଡଳୀର ସାଂସଦ ଆଣ୍ଟୋ ଆଣ୍ଟୋନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ କରିବାକୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା କାଲି ଏହି ପ୍ରସିଦ୍ଧ କ୍ଷେତ୍ର ମାସିକ ପୂଜା ପାଇଁ ଖୋଲିବ । କିନ୍ତୁ ଏଥର ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହେବାର ଭୟ ରହିଛି ବୋଲି ସେ କହିଛନ୍ତି । ସେହିପରି ଆସନ୍ତା କାଲି ଏ ଅଂଚଳରେ ଜନଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ଶାନ୍ତିରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପିନାୟାନି ବିଜୟନ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର