ରାଜ୍ୟସଭାରେ ଭାଷଣ ସୁଯୋଗ ମିଳିଲାନି: ଫେସବୁକ୍‌ରେ କହିଲେ ସଚ୍ଚିନ୍‌

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନେଇ ଦେଇଥିବା ଏକ ବୟାନର ପ୍ରତିବାଦରେ ରାଜ୍ୟସଭାରେ ଲଗାତାର ହଙ୍ଗାମା ଚାଲିଛି। ଏଭଳି ସମୟରେ ଗତକାଲି ଗୃହରେ ମହାନ କ୍ରିକେଟ ତାରକା ଭାରତ ରତ୍ନ ସଚ୍ଚିନ ତେନ୍ଦୁଲକର ତାଙ୍କର ବକ୍ତବ୍ୟ ରଖିବାକୁ ଚାହିଥିଲେ। ଏହା ଗୃହରେ ତାଙ୍କର ପ୍ରଥମ ଭାଷଣ ହୋଇଥାନ୍ତା। ସଚ୍ଚିନ ତାଙ୍କ ଭାଷଣ ଆରମ୍ଭ କରିବା ପାଇଁ ବହୁ ପ୍ରଚେଷ୍ଟ କରିବା ସତ୍ତ୍ୱେ ବିରୋଧୀ ଦଳ ସଦସ୍ୟମାନେ ତାଙ୍କୁ କିଛି କୁହାଇ ଦେଇନଥିଲେ। ରାଜ୍ୟସଭାରେ କହିବା ସୁଯୋଗ ପାଇନଥିବା ସଚ୍ଚିନ ଆଜି ତାଙ୍କ ବକ୍ତବ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଉପସ୍ଥାପନ କରିଛନ୍ତି। ସଚ୍ଚିନ ଆଜି ତାଙ୍କ କଥା କହିବାପାଇଁ ଫେସବୁକ୍‌ର ସହାୟତା ନେଇଛନ୍ତି। ଫେସବୁକ୍‌ରେ ୧୫ ମିନିଟ୍‌ର ଏକ ଭିଡିଓ ଜାରି କରି ସଚ୍ଚିନ ଏକ ସୁସ୍ଥ ଏବଂ ସମୃଦ୍ଧ ଭାରତ ସଂପର୍କରେ ତାଙ୍କ ଦୃଷ୍ଟିକୋଣ ରଖିଛନ୍ତି। ଜଣେ ଖେଳାଳି ଭାବେ ସେ ଖେଳ, ସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ ଉପରେ କହିବାକୁ ଚାହୁଛନ୍ତି କାରଣ ଭାରତର ଅର୍ଥନୀତି ଉପରେ ଏହାର ପ୍ରଭାବ ରହିଛି। ସଚ୍ଚିନ କହିଛନ୍ତି ଯେ ଭାରତ ହେଉଛି ସାରା ବିଶ୍ୱର ଡାଏବେଟିକ୍‌ ରାଜଧାନୀ। ୭୫ ନିୟୁତରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ। ମୋଟାପଣ କ୍ଷେତ୍ରରେ ମଧ୍ୟ ଭାରତ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ତେବେ ଏହିସବୁ ରୋଗଜନିତ ଆର୍ଥିକ ବୋଝ ଦେଶକୁ ପ୍ରଗତିପଥରେ ଆଗକୁ ନେଇପାରୁନାହିଁ । ଏହାବାଦ୍‌ ଦେଶରେ ଖେଳ ସଂସ୍କୃତିର ପ୍ରସାର ଉପରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯୁବ ଭାରତକୁ ଅଧିକ ସାମର୍ଥ୍ୟବାନ କରିବା ପାଇଁ ସମସ୍ତ ସଂଭାବ୍ୟ ଦିଗଗୁଡ଼ିକ ଉପରେ ଅଧିକ ଆଲୋଚନା ଓ ପଦକ୍ଷେପ ଉପରେ ସଚ୍ଚିନ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର