ସାମ୍ନାକୁ ଆସିଲା ସାଧ୍ୱୀ ପ୍ରଜ୍ଞାଙ୍କ ଅସଲ ଚେହେରା ! ଚିକିତ୍ସା କରିଥିବା ଡ଼ାକ୍ତର କହିଲେ; ଗୋମୂତ୍ର ନୁହେଁ ସର୍ଜରୀ ଦ୍ୱାରା ଭଲ ହୋଇଥିଲେ ପ୍ରଜ୍ଞା

ନୂଆଦିଲ୍ଲୀ : ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା କିଛି ଦିନ ତଳେ ଏକ ଅଜବ ଦାବି କରିଥିଲେ । ଗୋମୂତ୍ର ପିଇ ସେ ନିଜ ସ୍ତନ କର୍କଟ ରୋଗକୁ ଭଲ କରି ପାରିଥିଲେ ବୋଲି କହିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ଏ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଥିବା ଡ଼ାକ୍ତର ଏକ ବଡ଼ ଖୁଲାସା କରିଛନ୍ତି । ସାଧ୍ୱୀ ପ୍ରଜ୍ଞାଙ୍କ ଦାବିକୁ ମିଛ ବୋଲି କହିବା ସହ ଗୋମୂତ୍ର ନୁହେଁ ବରଂ ସର୍ଜରୀ ଦ୍ୱାରା ତାଙ୍କର କର୍କଟ ରୋଗ ଭଲ ହୋଇଥିଲା ବୋଲି କହିଛନ୍ତି ଡ଼ାକ୍ତର । ରାମ ମନୋହର ଲୋହିଆ ଇନ୍‌ଷ୍ଟିଚ୍ୟୁଟ୍‌ର ସର୍ଜନ ଡ଼ାକ୍ତର ଏସ୍‌ଏସ୍‌ ରାଜପୁତ୍‌ ଏହି ଦାବି କରିଛନ୍ତି ।

India Today

‘ଦ ହିନ୍ଦୁ’କୁ ସାକ୍ଷତକାର ଦେଇ ସର୍ଜନ ଡ଼ାକ୍ତର ଏସ୍‌ଏସ୍‌ ରାଜପୁତ୍‌ କହିଛନ୍ତି, “ମୁଁ ୩ଥର ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଛି । ତାଙ୍କୁ ଷ୍ଟେଜ୍‌-୧ ସ୍ତନ କର୍କଟ ରୋଗ ହୋଇଥିବା ବେଳେ ସେ ନିଜର ଚିକିତ୍ସା ଆରମ୍ଭ କରିଥିଲେ । ୨୦୦୮ରେ ମୁଁ ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଇଥିଲି। ଏହା ପରେ ଭୋପାଳରେ ତାଙ୍କର ଦ୍ୱିତୀୟ ସର୍ଜରୀ କରାଯାଇଥିଲା । ୨୦୧୭ରେ ରାମ ମନୋହର ଲୋହିଆ ଡ଼ାକ୍ତରଖାନାରେ ତାଙ୍କର ତୃତୀୟ ସର୍ଜରୀ କରାଯାଇଥିଲା । ତୃତୀୟ ସର୍ଜରୀ ପରେ ତାଙ୍କ କର୍କଟ ରୋଗ ସଂପୂର୍ଣ୍ଣ ଭଲ ହୋଇ ଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା” ବୋଲି କହିଛନ୍ତି ଡ଼ାକ୍ତର ଏସ୍‌ଏସ୍‌ ରାଜପୁତ୍‌ ।

ସମ୍ବନ୍ଧିତ ଖବର