ବୃଦ୍ଧଙ୍କ ସାହାରା ଏଟିଏମ୍‌ ଦିଦି

ରାଞ୍ଚି: ଦୁର୍ଗମ ଅଂଚଳରେ ପେନସନ ପାଇଁ ନାନା ହଇରାଣର ଶିକାର ହେଉଥିବା ପରିଣତ ବୟସର ଲୋକଙ୍କ ପାଇଁ ଏବେ ସାହାରା ପାଲଟିଛନ୍ତି ଏଟିଏମ୍‌ ଦିଦି। ଝାଡଖଣ୍ଡର ପାକୁଡ଼ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ଏହି ନୂତନ ସେବା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। କିଛି ଯୁବତୀ ଗାଁ ଗାଁ ବୁଲି ବୃଦ୍ଧ-ବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ନିକଟରେ ତାଙ୍କ ପେନସନ ରାଶି ପହଞ୍ଚାଉଛନ୍ତି। କେବଳ ଏତିକି ନୁହେଁ ବରଂ ଯେଉଁ ଅଞ୍ଚଳରେ ଏଟିଏମ୍‌ ସେବା ସ୍ୱପ୍ନ ସେସବୁ ସ୍ଥାନରେ ମଧ୍ୟ ଏହି ଏଟିଏମ ଦିଦି ପହଞ୍ଚି ମାଇକ୍ରୋ ଏଟିଏମ୍‌ ସହାୟତାରେ ଲୋକଙ୍କ ହାତକୁ ଟଙ୍କା ବଢାଇ ଦେଉଛନ୍ତି। ଗତ ଫେବ୍ରୁଆରି ମାସରେ ପାକୁଡ଼ରେ ଆରମ୍ଭ ହୋଇଥିବା ଏହି ସେବା ଏବେ ଆଖ ପାଖର ୮ଟି ପଞ୍ଚାୟତରେ କାର୍ଯ୍ୟକାରୀ ହେଉଛି। ଝାଡଖଣ୍ଡ ରାଜ୍ୟ ଜୀବିକା ପଦୋନ୍ନତି ସୋସାଇଟି ସହଯୋଗରେ ଚୟନ ହୋଇଥିବା କମିଟି ସଦସ୍ୟଙ୍କୁ ଏ ବାବଦ ତାଲିମ୍‌ ପ୍ରଦାନ କରାଯାଉଛି। ଗ୍ରାମୀଣ ଲୋକଙ୍କୁ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ ସୁବିଧା ସାଙ୍ଗକୁ ମୋବାଇଲ ରିଚାର୍ଜ, ବୀମା ଓ ବିଦ୍ୟୁତ୍‌ ଶୁଳ୍କ ମଧ୍ୟ ଏହି ଏଟିଏମ୍‌ ଦିଦିଙ୍କ ମାଧ୍ୟମରେ ପୈଠ କରିହେଉଛି। ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଏଟିଏମ୍‌ ଦିଦିଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ୍‌ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବ୍ୟକ୍ତି ପଂଚାୟତ କାର୍ଯ୍ୟାଳୟକୁ ମଧ୍ୟ ଆସିବାରେ ଅସମର୍ଥ ହୁଅନ୍ତି ତେବେ ଏଟିଏମ୍‌ ଦିଦି ସଂପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଯାଆନ୍ତି। ତେବେ ଏଭଳି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ, ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହା କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର