ଶାହିନ ବାଗ୍‌ ଆନ୍ଦୋଳନ: ଦ୍ୱିତୀୟ ଦିନ ଆଲୋଚନାରେ ବି ବାହାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଶାହିନ ବାଗ୍‌ରେ ଚାଲିଥିବା ବିରୋଧ ସ୍ଥଳରେ ଆନ୍ଦୋଳନକାରୀ ମହିଳାଙ୍କ ସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ ଆଲୋଚନା କରିଛନ୍ତି । ଆଜିର ଆଲୋଚନାରୁ ବିଶେଷ କିଛି ନିଷ୍କର୍ସ ବାହାରି ପାରିନାହିଁ । ମଧ୍ୟସ୍ଥ ସାଧନା ରାମଚନ୍ଦ୍ରନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆମର ଆଲୋଚନା ଜାରି ରହିଛି । ଆସନ୍ତାକାଲି ମଧ୍ୟ ଆଲୋଚନା ଜାରି ହେବ । ତେବେ କାଲି ଅନ୍ୟ ଏକ ସ୍ଥାନରେ ଆଲୋଚନା ହେବ, ଯେଉଁଠାକୁ କେବଳ ଆନ୍ଦୋଳନକାରୀ ମହିଳାମାନେ ଆସିବେ । ତେବେ ସବୁଠାରୁ ବଡ କଥା ହେଉଛି ସାଧନା ରାମଚନ୍ଦ୍ରନ ବର୍ତ୍ତମାନ ସୁଦ୍ଧା ସାହିନବାଗ ଆନ୍ଦୋଳନକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି ।

ଏଥିସହିତ ଆନ୍ଦୋଳନକାରୀଙ୍କୁ ସାଧନା କହିଛନ୍ତି ଯଦି ଏପରି ଚାଲେ ଆଗକୁ କିଛି ଆଲୋଚନା ବଢିପାରିବନି । କାରଣ ଏଠାରେ କଥାବାର୍ତ୍ତା ହେବାର ପରିବେଶ ନାହିଁ । ଆସନ୍ତାକାଲି ୧୦ରୁ ୧୫ ଜଣିଆ ମହିଳା ଦଳଙ୍କ ସହିତ ସୁପ୍ରିମକୋର୍ଟ ମଧ୍ୟସ୍ଥ ଆଲୋଚନା କରିବେ ବୋଲି କହିଛନ୍ତି । ମଧ୍ୟସ୍ଥ ଆଲୋଚନା ସମୟରେ ଆନ୍ଦୋଳନକାରୀଙ୍କୁ କହିଛନ୍ତି ଆନ୍ଦୋଳନ କରିବା ତୁମର ଅଧିକାର କିନ୍ତୁ ଏପରି ଟ୍ରାଫିକ ଜାମ ପାଇଁ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ଏଠାରେ ସୂଚନା ଥାଉ କି ଗତକାଲି ପ୍ରଥମ ଥର ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ଦକ୍ଷିଣ ଦିଲ୍ଲୀର ଶାହିନ ବାଗ୍‌ରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଆଭିମୁଖ୍ୟ ସଂପର୍କରେ ଜଣାଇଥିଲେ। ଶାହିନବାଗ୍‌ ଆନ୍ଦୋଳନକାରୀ ରାସ୍ତା ଅବରୋଧ ନକରି ଅନ୍ୟ ସ୍ଥାନରେ ଆନ୍ଦୋଳନ କରନ୍ତୁ ବୋଲି ମଧ୍ୟସ୍ଥିମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଉଲ୍ଲେଖଯୋଗ୍ୟ ଶାହିନ ବାଗ୍‌ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ସୁପ୍ରିମକୋର୍ଟ ଗତ ସୋମବାର ଦିନ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର