ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ : ସାହିତ୍ୟ ଅକାଦେମି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଲାଗି ଦେଶର ୨୩ଟି ଭାଷାର ସାହିତ୍ୟିକଙ୍କୁ ଯୁବ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଥିବା ବେଳେ ୨୨ଟି ଭାଷାର ଶିଶୁ ସାହିତ୍ୟିକଙ୍କ ନାମ ବାଲ୍‌ ସାହିତ୍ୟ ପୁରସ୍କାର ଲାଗି ଚୟନ କରାଯାଇଛି।

ଓଡ଼ିଆ ଭାଷା ଲାଗି ଜଣାଶୁଣା ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ସାହିତ୍ୟ ଅକାଦେମି ବାଲ୍‌ ସାହିତ୍ୟ ପୁରସ୍କାର-୨୦୧୯ ପାଇଁ ମନୋନୀତ କରାଯାଇଛି। ସେହିପରି ଯୁବ ସାହିତ୍ୟିକ ଶିଶିର ବେହେରାଙ୍କୁ ଓଡ଼ିଆ ଭାଷା ଲାଗି ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି। ଆଜି ସାହିତ୍ୟ ଅକାଦେମି ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ବୀରେନ୍ଦ୍ର ସାମନ୍ତରାୟ

ଅକାଦେମି ପକ୍ଷରୁ ଜାରି ସୂଚନା ଅନୁସାରେ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ତାଙ୍କର ଜୀବନବ୍ୟାପି କୃତି ଲାଗି ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଶିଶିର ବେହେରାଙ୍କୁ ତାଙ୍କର ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଯୁବ ପୁରସ୍କାର ଲାଗି ଚୟନ କରାଯାଇଛି।

୧୯୪୭ ମସିହା ଜୁଲାଇ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବାଲିସାହିରେ ଜନ୍ମିତ ବୀରେନ୍ଦ୍ର ସାମନ୍ତରାୟ ପ୍ରାୟ ୫୦ ଖଣ୍ଡ ପୁସ୍ତକର ରଚୟିତା। ତେବେ ତାଙ୍କର ଅନ୍ୟ ବିଶେଷ କୃତିତ୍ୱ ହେଉଛି ‘ପିଲାଙ୍କ ବିଶ୍ବକୋଷ’ ଓ ‘ଉତ୍କଳ ପ୍ରଦୀପ’ ଜ୍ଞାନକୋଷ। ‘ରାଜାର ସ୍ବପ୍ନ’ ପୁସ୍ତକ ପାଇଁ ସେ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଶିଶୁ ପତ୍ରିକା ‘ଟୁଉକୁମୂଷି’ର ସଂପାଦକ।

ଶିଶିର ବେହେରା

ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ଶିଶିର ବେହେରା ୧୩ ଖଣ୍ଡ ପୁସ୍ତକର ସ୍ରଷ୍ଟା।  ସେଥି ମଧ୍ୟରେ ରହିଛି ୫ଟି ଅନୁବାଦ, ୪ଟି ଆଲୋଚନା ଓ ୪ଟି ସମ୍ପାଦନା ଗ୍ରନ୍ଥ।

ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଦୁଇ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର