ଶୈଲଜା ହତ୍ୟାକାଣ୍ଡ :ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ

ନୂଆଦିଲ୍ଲୀ: ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜାଙ୍କ ହତ୍ୟା ଘଟଣାରେ ପୁଲିସ୍‌ ମେଜର ନିଖିଲ ହାଣ୍ଡାଙ୍କୁ ଗିରଫ କରିବା ପରେ ଏ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଆଜି ମେଜର ହାଣ୍ଡା ପୁଲିସକୁ ଦେଇଥିବା ସୂଚନା ମୁତାବକ, ଫେସବୁକରୁ ପ୍ରଥମେ ଶୈଲଜାଙ୍କ ସହ ତାଙ୍କର ପରିଚିତି ହୋଇଥିଲା। ଫେସବୁକରେ ଅନ୍ୟଜଣେ ବନ୍ଧୁଙ୍କ ସହ ବନ୍ଧୁ ଥିବା ଶୈଲଜାଙ୍କ ଫଟୋ ଦେଖିବା ପରେ ତାଙ୍କ ସହ ସମ୍ପର୍କ ରଖିବାକୁ ମେଜର ହାଣ୍ଡା ଚେଷ୍ଟା କରିଥିଲେ। କେବଳ ଏତିକି ନୁହେଁ, ସେ ବିବାହିତ ବୋଲି ଜାଣିବା ପରେ ସ୍ୱାମୀ ମେଜର ଦ୍ୱିବେଦୀଙ୍କ ସହ ମଧ୍ୟ ସେ ସମ୍ପର୍କ ସ୍ଥାପନ କରିଥିଲେ। ଯାହା ଫଳରେ ମେଜର ହାଣ୍ଡା ମେଜର ଦ୍ୱିବେଦୀଙ୍କ ଘରକୁ ଏକ ନିୟମିତ ବନ୍ଧୁ ଭାବେ ଯିବାକୁ ଲାଗିଲେ। କିନ୍ତୁ ଦିନେ ମେଜର ହାଣ୍ଡା ଓ ପତ୍ନୀ ଶୈଲଜା ଭିଡିଓ କଲିଂ କରୁଥିବା ଦେଖିପାରି ମେଜର ଦ୍ୱିବେଦୀ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ମେଜର ହାଣ୍ଡାଙ୍କୁ ତାଙ୍କ ଦୁଆର ନ ମାଡ଼ିବା ପାଇଁ କହିବା ସହିତ ଶୈଲଜାଙ୍କ ସହ ସମ୍ପର୍କ କାଟିବା ପାଇଁ ମଧ୍ୟ କହିଥିଲେ। ସେପଟେ, ଶୈଲଜାଙ୍କୁ ହତ୍ୟା କରିବା ପରେ ମେଜର ହାଣ୍ଡା ପୁଲିସ୍‌ ନିକଟରେ ଆତ୍ମ ସମର୍ପଣ କରିବେ ବୋଲି ମଧ୍ୟ ଯୋଜନା କରିଥିଲେ। କିନ୍ତୁ ପୁଲିସ୍‌ ଅତିଶୀଘ୍ର ତାଙ୍କୁ ଗିରଫ କରିବ ବୋଲି ସେ ଭାବି ନଥିଲେ ବୋଲି କହିଛନ୍ତି।
ଅପରପକ୍ଷେ, ମେଜର ହାଣ୍ଡା ଶୈଲଜାଙ୍କ ପୂର୍ବରୁ ମଧ୍ୟ ଅନେକ ମହିଳାଙ୍କ ସହ ସମ୍ପର୍କରେ ଥିଲେ ବୋଲି ସ୍ୱୀକାର କରିଛନ୍ତି। ନକଲି ଫେସବୁକ୍‌ ଆକାଉଣ୍ଟ ଜରିଆରେ ମେଜର ହାଣ୍ଡା ମହିଳାଙ୍କ ସହ ବନ୍ଧୁତା କରୁଥିଲେ। ଯେଉଁମାନେ ସେନା ଚାକିରିକୁ ପସନ୍ଦ କରୁନଥିଲେ ସେମାନଙ୍କୁ ମତାଇବା ପାଇଁ ମେଜର ହାଣ୍ଡା ନିଜକୁ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ପରିଚୟ ଦେଉଥିଲେ। ଏଭଳି ଭାବେ ସେ ଏକାଧିକ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଜଣାପଡ଼ିଛି। କିନ୍ତୁ ଆଜିଯାଏଁ କୌଣସି ମହିଳା ମେଜରଙ୍କ ବିରୋଧରେ ଅଭିଯୋଗ ନଆଣିବା ସବୁଠୁ ଆଶ୍ଚର୍ଯ୍ୟ ବିଷୟ ବୋଲି ପୁଲିସ୍‌ କହିଛି। ଅପରପକ୍ଷେ, ଶୈଲଜାଙ୍କୁ ହତ୍ୟା କରିବା ପରେ ମେଜର ହାଣ୍ଡା ତାଙ୍କର ଅନ୍ୟଜଣେ ମହିଳା ବନ୍ଧୁଙ୍କୁ ଫୋନ କରି ଏ ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ।

ସମ୍ବନ୍ଧିତ ଖବର