କଶ୍ମୀରରେ ପାକ୍‌ ସ୍ନାଇପରଙ୍କ ଉତ୍ପାତ : ୩ ଯବାନଙ୍କୁ ହତ୍ୟା କଲେଣି

ଏମ୍‌-୪ କାର୍ବାଇନ୍ସ ବ୍ୟବହାର କରୁଛନ୍ତି, ଗୁଇନ୍ଦା ଓ ସୁରକ୍ଷା ବାହିନୀ ହାଇଆଲର୍ଟ

ନୂଆଦିଲ୍ଲୀ: କଶ୍ମୀର ଘାଟିରେ ସୁରକ୍ଷା ବାହିନୀ ପାଇଁ ଏବେ ଆଉ ଏକ ନୂଆ ଚ୍ୟାଲେଂଜ ସାମ୍ନାକୁ ଆସିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ୪ ଜଣ ସ୍ନାଇପର ଏବେ କଶ୍ମୀରରେ ପ୍ରବେଶ କରିଛନ୍ତି। ସେପ୍‌୍‌ଟେମ୍ବରରୁ ଆଜି ପର୍ଯ୍ୟନ୍ତ ୩ ଜଣ ଯବାନ ସ୍ନାଇପର୍ ଆକ୍ରମଣରେ ସହିଦ ହୋଇଯାଇଛନ୍ତି। ସ୍ନାଇପର ଆତଙ୍କବାଦୀଙ୍କ ସଂପର୍କରେ ତଥ୍ୟ ମିଳିବା ମାତ୍ରେ ସୁରକ୍ଷା ବାହିନୀ ଏବେ ହାଇ ଆଲର୍ଟରେ ରହିଛି। ପାକିସ୍ତାନୀ ସ୍ନାଇପରଙ୍କୁ ଠାବ କରିବା ପାଇଁ ଗୁଇନ୍ଦା ବିଭାଗ ମଧ୍ୟ ସକ୍ରିୟ ହୋଇଉଠିଛି । ଏହି ସ୍ନାଇପର୍‌ମାନେ ୨ଟି ଟିମ୍‌ ହୋଇ କାର୍ଯ୍ୟକାରୁଛନ୍ତି। ସମସ୍ତେ ଦକ୍ଷିଣ କଶ୍ମୀରରେ ସକ୍ରିୟ ଥିବା ଜଣାପଡ଼ିଛି। ପାକ୍‌ ଆତଙ୍କବାଦୀଙ୍କ ଦ୍ବାରା ଏଭଳି ସ୍ନାଇପର ଆକ୍ରମଣ ଘାଟିରେ ସୁରକ୍ଷା ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀର ରଣନୀତି ମଧ୍ୟ ବଦଳିଛି। ବହୁ ଦୂରରୁ ଗୁପ୍ତ ସ୍ଥାନରେ ଛପି ରହି ସ୍ନାଇପର ଯବାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ଏବଂ ଏଭଳି ଆକ୍ରମଣକୁ ଏଡ଼ାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇଛି। ନିକଟରେ କେତେକ ସ୍ନାଇପର ଆକ୍ରମଣକୁ ଅନୁଧ୍ୟାନ କରିବା ପରେ ଘାଟିରେ ୪ ଜଣ ସ୍ନାଇପର ଅତ୍ୟାଧୁନିକ ସ୍ନାଇପର ରାଇଫଲ ସହିତ ସକ୍ରିୟ ଥିବା ସ୍ପଷ୍ଟ ହୋଇଥିଲା। ଏଭଳି ଆକ୍ରମଣକୁ ନେଇ ସେନା, ସିଆର୍‌ପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସ ସମେତ ସମସ୍ତ ସୁରକ୍ଷା କର୍ମୀଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ରହିଛି । ପୁଲୱାମାରେ ପ୍ରଥମ ସ୍ନାଇପର ଆକ୍ରମଣ ଗତ ମାସ ୧୮ ତାରିଖରେ ହୋଇଥିଲା। ଏଥିରେ ସଶସ୍ତ୍ର ସୀମା ବଳର ଜଣେ ଯବାନ ସହିଦ ହୋଇଥିଲେ। ଏହାପରେ ଆଉ ୨ ଥର ହୋଇଥିବା ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ପାକ୍‌ ସ୍ନାଇପର୍‌ ଅତ୍ୟାଧୁନିକ ଏମ୍‌-୪ କାର୍ବାଇନ୍ସ ବ୍ୟବହାର କରୁଛନ୍ତି। ଏହି ଶକ୍ତିଶାଳୀ ଅତ୍ୟାଧୁନିକ ବନ୍ଧୁକ ଆମେରିକା ସେନା ବ୍ୟବହାର କରୁଛି। ସୁରକ୍ଷା ବାହିନୀ ଉପରେ ପଥର ଆକ୍ରମଣ ବେଳେ ଏହି ସ୍ନାଇପର୍‌ମାନେ ଦୂର ସ୍ଥାନରୁ ଯବାନଙ୍କୁ ଟାର୍ଗେଟ୍‌ କରିବା ଆଶଙ୍କା ବଳବତ୍ତର ହୋଇଥିବାରୁ ସେନାର ପାଟ୍ରୋଲିଂ ଏବଂ ଅପରେସନ ରଣନୀତି ମଧ୍ୟ ବଦଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର