ଗୋଟିଏ ଦିନରେ ସମସ୍ତଙ୍କୁ ଦରମା ଦେବାକୁ ଚାଲିଛି ଯୋଜନା !

ନୂଆଦିଲ୍ଲୀ: ଦେଶବ୍ୟାପୀ ଗୋଟିଏ ଦିନରେ ମିଳିବ ଦରମା ! ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ସୁବିଧାକୁ ନଜରରେ ରଖି କେନ୍ଦ୍ର ସରକାର ଏକ ରାଷ୍ଟ୍ର, ଏକ ଦିନରେ ବେତନ ବ୍ୟବସ୍ଥା ଲାଗୁ କରିବା ନେଇ ବିଚାର ବିମର୍ଷ କରୁଛନ୍ତି । ଗତକାଲି ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି ।ଗଙ୍ଗୱାର କହିଛନ୍ତି ଯେ, ଦରମା ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ ବ୍ୟବସ୍ଥା ରହିବା ଦରକାର । ଯାହା ଫଳରେ ସମଗ୍ର ଦେଶରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ପ୍ରତି ମାସରେ ଏକ ନିର୍ଧାରିତ ସମୟରେ ଦରମା ପାଇ ପାରିବେ ।

ତେବେ ଖୋଦ୍ ପ୍ରଧାନମନ୍ତ୍ରୀ ଏସଂକ୍ରାନ୍ତରେ ବ୍ୟକ୍ତିଗତ ଭାବେ ଏକ ବିଧେୟକକୁ ସଂସଦରେ ମଂଜୁରି କରାଇବାକୁ ଇଚ୍ଛାପ୍ରକାଶ କରିଥିବା ନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗଙ୍ଗୱାର ଆହୁରି ମଧ୍ୟ କହିଛନ୍ତି କି, କେନ୍ଦ୍ର ସରକାର ଏବେ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳରେ ସ୍ଥିତି ଓଏସଏଚ କୋଡ ଏବଂ ବେତନ କୋଡ୍ ଲାଗୁ କରିବା ଦିଗରେ କାମ କରୁଛନ୍ତି ।

ଇତିମଧ୍ୟରେ ସଂସଦରେ ବେତନ କୋଡକୁ ମଞ୍ଜୁରି ମିଳିସାରିଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟାନ୍ୱୟନ ପାଇଁ ନିୟମ ପ୍ରସ୍ତୁତି ଚାଲିଥିବା କହିଛନ୍ତି । ତେବେ ଓଏସଏଚ୍ କୋଡକୁ ଲୋକସଭାରେ ଚଳିତବର୍ଷ ଜୁଲାଇ ୨୩ରେ ଆଗତ କରାଯାଇଥିବା ବେଳେ ଏହି କୋଡକୁ ୧୩ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର