ସଲମାନ୍‌ ଖୁର୍ସିଦ୍‌ଙ୍କ ବିବାଦୀୟ ବୟାନ:କଂଗ୍ରେସ ହାତରେ ମୁସଲିମ୍‌ଙ୍କ ରକ୍ତ ଦାଗ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌ ଆଜି କଂଗ୍ରେସ ହାତରେ ମୁସଲିମ୍‌ଙ୍କର ରକ୍ତ ଦାଗ ଲାଗିଥିବା କହିଛନ୍ତି। ଖୁର୍ସିଦଙ୍କ ଏଭଳି ବୟାନ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ସେ ନିଜେ ମଧ୍ୟ ବିବାଦ ଘେରକୁ ଟାଣି ହୋଇଆସିଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ କଂଗ୍ରେସର ଅଂଶବିଶେଷ। ତେଣୁ ମୁଁ ବି ଗ୍ରହଣ କରୁଛି ଯେ, ଆମ ହାତରେ ମୁସଲିମ୍‌ଙ୍କ ରକ୍ତ ଦାଗ ଲାଗିଛି। ତେବେ ଲୋକମାନେ ଅତୀତର ଏହି ଭୁଲ୍‌ରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଏଭଳି ଭୁଲ୍‌ର ପୁନରାବୃତ୍ତି ନକରିବା ଉଚିତ୍‌ ବୋଲି ସଲମାନ୍‌ ମତ ପ୍ରକାଶ କରିଛନ୍ତି।
ଗତକାଲି ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ଦ୍ୱାରା କଂଗ୍ରେସ ଶାସନ ସମୟରେ ୧୯୯୨ ବାବ୍ରି ମସଜିଦ୍‌ ଧ୍ୱଂସ ପରବର୍ତ୍ତୀ ହିଂସାକାଣ୍ଡ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ରଖି ସଲମାନ୍‌ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କୁ କାହିଁକି ଏଭଳି ପ୍ରଶ୍ନ କରାଯାଇଛି ତାହା ସେ ଭଲଭାବେ ବୁଝିପାରିଛନ୍ତି ବୋଲି କହିଛନ୍ତି।
ତେବେ କଂଗ୍ରେସ ନେତା ପିଏଲ ପୁନିଆ ସ୍ପଷ୍ଟ କରିଛନ୍ତି ଯେ ଖୁର୍ସିଦ୍‌ଙ୍କ ଏଭଳି ବୟାନ ସହିତ ଦଳ ଏକମତ ନୁହେଁ। ସେ କହିଛନ୍ତି ଯେ ସମସ୍ତେ ଜାଣିବା ଉଚିତ୍‌ ଯେ ଉଭୟ ସ୍ୱାଧୀନତା ପୂର୍ବରୁ ଏବଂ ପରେ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ ଏକ ସମତାବାଦୀ ସମାଜ ଗଠନ ଦିଗରେ ସବୁ ବର୍ଗର ଲୋକଙ୍କୁ ଏକତ୍ରିତ କରି କାର୍ଯ୍ୟ କରି ଆସିଛି। ଅନ୍ୟପକ୍ଷେ ଖୁର୍ସିଦ୍‌ ନିଜ ବୟାନରେ ଅଟଳ ଅଛନ୍ତି। ସେ କହିଛନ୍ତି ମୁଁ କଂଗ୍ରେସ ଦଳକୁ ସୁରକ୍ଷା ଦେଉଛି। ତେବେ ଯାହା ମୁଁ କହିଛି ତାହା ବଜାୟ ରଖିବି। ଜଣେ ମଣିଷ ଭାବେ ମୁଁ ଏଭଳି ବୟାନ ଦେଇଛି। ସେପଟେ ଖୁର୍ସିଦ୍‌ଙ୍କ ବୟାନକୁ ଅସ୍ତ୍ର କରି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ କଂଗ୍ରେସଠାରୁ ଏହା ହିଁ ଆଶା କରାଯାଉଥିଲା। ଏଭଳି ବୟାନ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦେବା ଉଚିତ୍‌ ବୋଲି ସ୍ୱାମୀ କହିଛନ୍ତି।
ଇତିମଧ୍ୟରେ ଆଜି ରାତିରେ ସଲମାନ ଖୁର୍ସିଦ ଟୁଇଟ୍‌ କରି ଏହି ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି। ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଗଣମାଧ୍ୟମ ଠିକ୍‌ ଭାବେ ଉପସ୍ଥାପନ କରିବା ଉଚିତ। ତେବେ ସେ ଆଉ କିଛି କହିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର