ବିଲ୍‌ରେ ଅସଙ୍ଗତି ଥିବା ଦର୍ଶାଇଲେ ସଲମାନ ଖୁର୍ସିଦ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକା ଆଜି ଲୋକସଭାରେ ତିନି ତଲାକ୍‌ ବିଲ୍‌ ଗୃହୀତ କରାଇନେବା ପରେ ଏହାକୁ ନେଇ ସରଗରମ ବିତର୍କ ଆରମ୍ଭ ହୋଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ସଲମାନ ଖୁର୍ସିଦ୍‌ ଏହି ବିଲ୍‌ରେ ଅସଙ୍ଗତି ଥିବା ଦର୍ଶାଇଛନ୍ତି। ସେ କହିଛନ୍ତି, ସରକାର ଉପସ୍ଥାପନ କରିଥିବା ବିଲ୍‌ ମୁସ୍‌ଲିମ୍‌ ମହିଳାଙ୍କ ଜୀବନରେ ଅନଧିକାର ପ୍ରବେଶ ଭଳି ହୋଇଛି। ଭାରତୀୟ ସମ୍ବିଧାନ ଅନୁଯାୟୀ ପରିବାରଗତ କଳହକୁ ସିଭିଲ୍‌ ଆଇନ୍‌ ଦ୍ୱାରା ସମାଧାନ କରାଯାଇଥାଏ। କିନ୍ତୁ କେନ୍ଦ୍ର ସରକାର ଏହାକୁ ଅପରାଧିକ ଆଇନ୍‌ ଅନ୍ତର୍ଗତ କରିବାରେ ପ୍ରୟାସ ଜାରି ରଖିଛନ୍ତି। ତିନି ତଲାକ ଦେଉଥିବା ପୁରୁଷଙ୍କୁ ଏହି ଆଇନ ବଳରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି ହେଲେ ଘୋର ବିଭ୍ରାଟ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏହି ବିଲ୍‌ରେ ଛାଡପତ୍ର ପାଇଥିବା ମହିଳାଙ୍କୁ ଉକ୍ତ ପୁରୁଷଙ୍କର ସ୍ଥାବର ନା ଅସ୍ଥାବର ସମ୍ପତ୍ତିରୁ ଭାଗ ମିଳିବ ସେନେଇ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ନାହିଁ। ଯଦି ଉକ୍ତ ବ୍ୟକ୍ତିଙ୍କ ପାଖରେ କୌଣସି ସମ୍ପତ୍ତି ନଥିବ କିମ୍ବା ତାହା ବିବାଦ ଘେରରେ ଥିବ ସେଭଳି କ୍ଷେତ୍ରରେ ପୀଡ଼ିତା ମହିଳାଙ୍କୁ କିଭଳି ଭାବେ ଭରଣପୋଷଣ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର