ସମଲିଙ୍ଗୀ ସଂପର୍କ ଏକ ଅପରାଧ?

ଧାରା ୩୭୭ କ’ଣ

0 226

ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ସଂପର୍କ ଅପରାଧ କି ନୁହେଁ, ସେ ନେଇ ଗୁରୁବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ ଏବଂ ରାୟ ପ୍ରକାଶ ପାଇବ। ଭାରତୀୟ ଆଚାର ସଂହିତା (ଆଇପିସି)ର ଧାରା ୩୭୭କୁ ବୈଧ ବିବେଚନା କରାଯିବ କି ନାହିଁ ସେ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଦାୟିତ୍ୱ ଦେଇଥିଲେ। ଏ ବାବଦରେ ସରକାର କିଛି କହିପାରିବେ ନାହିଁ ଏବଂ ସୁପ୍ରିମ୍‌କୋର୍ଟ ଯେଉଁ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସମ୍ବିଧାନ ପୀଠରେ ଏହାର ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ମହଲର ଯୁକ୍ତି ଶୁଣିବା ପରେ ନିକଟରେ ସୁପ୍ରିମ୍‌କୋର୍ଟ ଧାରା ୩୭୭ର ଉଚ୍ଛେଦ ପାଇଁ ସଂକେତ ଦେଇଥିଲେ। ସମଲିଙ୍ଗୀ ସଂପର୍କକୁ ନେଇ ରହିଥିବା ଅପରାଧ ଦିଗକୁ ଯଦି ହଟାଇ ଦିଆଯାଏ, ତେବେ ସମଲିଙ୍ଗୀ ସଂପର୍କ ସ୍ଥାପନ କରୁଥିବା ଲୋକମାନଙ୍କୁ ସମାଜରେ ଯେଉଁଭଳି ଭାବେ ବିରୋଧ କରାଯାଉଛି ଏବଂ ସେମାନଙ୍କୁ ନେଇ ଲୋକଙ୍କ ମନରେ ଯେଉଁ ଧାରଣା ରହୁଛି, ତାହା ଆଉ ରହିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ। ତେଣୁ ଆସନ୍ତାକାଲି ସମ୍ବିଧାନ ପୀଠ ଧାରା ୩୭୭ର ଉଚ୍ଛେଦ ସପକ୍ଷରେ ରାୟ ଦେଇପାରନ୍ତି ବୋଲି ଆଶା କରାଯାଉଛି।

ଆଇପିସି ଧାରା ୩୭୭ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ କରାଗଲେ ତାହାକୁ ଅପରାଧ ବିବେଚନା କରାଯିବ। ଏହି ଅପରାଧରେ ଜଡ଼ିତ ଲୋକଙ୍କ ପାଇଁ ଜେଲ ଓ ଜରିମାନା ଭଳି ବିଭିନ୍ନ ଦଣ୍ଡବିଧାନ ରହିଛି। ଦୁଇଜଣ ସମଲିଙ୍ଗୀ ବ୍ୟକ୍ତି ପରସ୍ପର ମଧ୍ୟରେ ସ୍ୱେଚ୍ଛାକୃତ ଭାବେ କୌଣସି ଅପ୍ରାକୃତିକ ଯୌନ ସଂପର୍କ ରଖିଲେ ବି ୩୭୭ରେ ତାହାକୁ ଅପରାଧ ବିବେଚନା କରାଯାଉଛି। ଏଥିପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ଅଛି। ତେବେ ପ୍ରଥମେ ୨୦୦୧ରେ ନାଜ୍‌ ଫାଉଣ୍ଡେସନ୍‌ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏ ପ୍ରସଙ୍ଗ ଉଠିଥିଲା। ପରେ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା। ଧାରା ୩୭୭କୁ ଅପରାଧମୁକ୍ତ କରାଯିବା ସପକ୍ଷରେ ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ସହମତି ଭିତ୍ତିରେ ଯେ କୌଣସି ବ୍ୟକ୍ତି ପରସ୍ପର ସହ ସଂପର୍କ ରଖିପାରିବେ ଏବଂ ସେମାନଙ୍କୁ ଏଥିରୁ ବାରଣ କରାଯିବା ବେଆଇନ ବୋଲି କୋର୍ଟ ଦର୍ଶାଇଥିଲେ। ହାଇକୋର୍ଟଙ୍କ ଏଭଳି ରାୟ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ବେଳେ ସମଲିଙ୍ଗୀ ଅଧିକାର ସାମାଜିକ କର୍ମୀମାନେ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ପରେ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଦେଇଥିଲେ। ଚଳିତବର୍ଷ ମେ ମାସରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍ସଜେଣ୍ଡର) ଆଲୁମ୍‌ନି ସଂଘ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ସହମତ ହୋଇଥିଲେ। ତେବେ ଚଳିତବର୍ଷ ଜୁଲାଇ ୧୭ରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.