ସମଝୌତା ବିସ୍ଫୋରଣ ମାମଲା:ଅସୀମାନନ୍ଦ ସମେତ ୪ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ: ସମଝୌତା ଏକ୍ସପ୍ରେସ୍‌ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର ଏନ୍‌ଆଇଏ ଅଦାଲତ  ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ୩ ଜଣ ହେଲେ ଲୋକେଶ ଶର୍ମା, କମଲ ଚୌହାନ ଏବଂ ରାଜେନ୍ଦ୍ର ଚୌଧୁରୀ। ଦିଲ୍ଲୀ-ଲାହୋର ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୧୮ ଫେବ୍ରୁଆରି ୨୦୦୭ରେ ପାନିପଥ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଏଥିରେ ଅଧିକାଂଶ ପାକିସ୍ତାନୀ ନାଗରିକ ରହିଥିଲେ। ଏହି ବିସ୍ଫୋରଣ ନେଇ ହରିଣାୟା ପୁଲିସ ମାମଲା ରୁଜୁ କରିଥିଲା ଏବଂ ୨୦୧୦ରେ ଏହାର ତଦନ୍ତଭାର ଏନ୍‌ଆଇଏକୁ ଦିଆଯାଇଥିଲା। ଆକ୍ରମଣର ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ସୁନୀଲ ଯୋଶୀଙ୍କୁ ଡିସେମ୍ବର ୨୦୦୭ରେ ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ତାଙ୍କ ଘର ନିକଟରେ ହିଁ ଗୁଳିକରି ହତ୍ୟା କରାଯାଇଥିଲା।
୬୯ ବର୍ଷୀୟ ସ୍ବାମୀ ଅସୀମାନନ୍ଦଙ୍କ ପ୍ରକୃତ ନାମ ନବକୁମାର ସରକାର। ତାଙ୍କର ଜନ୍ମ ପଶ୍ଚିମବଂଗର ହୁଗୁଳି ଜିଲ୍ଲାରେ ହୋଇଥିବା ବେଳେ ସେ କିଶୋର ବୟସରୁ ହିଁ ଆର୍‌ଏସ୍‌ଏସ୍‌ରେ ସାମିଲ ହୋଇଥିଲେ। ସେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି ଏବଂ ୧୯୭୭ରେ ଆର୍‌ଏସ୍‌ଏସ୍‌ର ପ୍ରଚାରକ ପାଲଟିଥିଲେ। ୨୦୦୬ରେ ଆଜମେର ସରିଫର ମକ୍କା ମସ୍‌ଜିଦ୍ ଏବଂ ୨୦୦୭ରେ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ନଭେମ୍ବର ୨୦୧୦ରେ ତାଙ୍କୁ ସିବିଆଇ ଗିରଫ କରିଥି‌ଲା।

ସମ୍ବନ୍ଧିତ ଖବର