ଶାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି: ରାଜୀବ କୁମାର-କୁନାଲ ଘୋଷ୍‌ଙ୍କୁ ମୁହାଁମୁହିଁ ଜେରା

ମୁଁ ନିର୍ଦ୍ଦୋଷ, ତଦନ୍ତରେ ସହଯୋଗ କରୁଛି: ରାଜୀବ କୁମାର

ସିଲଂ: ଶାରଦା ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଆଜି କୋଲାକାତା ପୁଲିସ କମିସନର ରାଜୀବ କୁମାର ଏବଂ ଟିଏମ୍‌ସିର ପୂର୍ବ ସାଂସଦ କୁନାଲ ଘୋଷ୍‌ଙ୍କୁ ଜେରା କରିଛି। ଉଭୟଙ୍କୁ ମୁହାଁମୁହିଁ ବସାଇ ସିବିଆଇ ପ୍ରାୟ ୮ ଘଣ୍ଟା ଜେରା କରିଥିବା ପ୍ରକାଶ। ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ମୁଖ୍ୟ ରହିଥିବା କୁମାର ନିଜେ ପ୍ରମାଣ ନଷ୍ଟ କରିବା ସହ ତଦନ୍ତକୁ ଭୁଲ୍‌ ରାସ୍ତାରେ ନେଇଥିବା ସିବିଆଇ ଅଭିଯୋଗ କରିଥିବା ବେଳେ ଏହି ଜେରା ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି । ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜୀବ କୁମାରଙ୍କୁ ସିଲଂର ଓକ୍‌ଲାଣ୍ଡ୍‌ରେ କଡ଼ା ସୁରକ୍ଷା ବଳୟରେ ଜେରା କରାଯାଉଛି। ଆଜି ଜେରା ପୂର୍ବରୁ ସିଲଂରେ ରାଜୀବ କୁମାର ଗଣମାଧ୍ୟମକୁ କହିଥିଲେ ଯେ ଏହି ମାମଲାରେ ମୁଁ ନିର୍ଦ୍ଦୋଷ ଏବଂ ସିବିଆଇକୁ ତଦନ୍ତରେ ସହଯୋଗ କରୁଛି। ସୂଚନାଯୋଗ୍ୟ ଚିଟ୍‌ ଫଣ୍ଡ ଦୁର୍ନୀତିରେ ପୁଲିସ କମିସନରଙ୍କୁ ଜେରା ପାଇଁ ସିବିଆଇ ଅଫିସରଙ୍କ ଉଦ୍ୟମକୁ ନିକଟରେ ପୁଲିସ ବାହିନୀ ପ୍ରବଳ ବିରୋଧ କରିବା ସହ ସିବିଜଆଇ ଦପ୍ତରରେ ଚଢ଼ଉ କରିଥିଳେ ଏବଂ ଅଫିସରଙ୍କୁ ହାଜତରେ ଅଟକ ରଖିଥିଲେ। ଏହି ମାମଲାରେ ସିବିଆଇ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଗତ ମଙ୍ଗଳବାର କୋର୍ଟ କହିଥିଲେ ଯେ ରାଜୀବ କୁମାର ଜେରାରୁ ବର୍ତ୍ତି ପାରିବେ ନାହିଁ। ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପରିବର୍ତ୍ତେ ତଦନ୍ତକାରୀ ସିବିଆଇ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାପରେ ଗତକାଲିଠାରୁ ସିଲଂରେ ତାଙ୍କୁ ଜେରା ଆରମ୍ଭ ହୋଇଛି । ତେବେ ଏହି ମାମଲାରେ ରାଜୀବ କୁମାରଙ୍କୁ ତତ୍କାଳ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିବାରୁ ଏବେ ଏହି ପ୍ରକ୍ରିୟା କେବଳ ଜେରାରେ ସୀମିତ ରହିବ।

ସମ୍ବନ୍ଧିତ ଖବର