ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି:ସିବିଆଇ ତଦନ୍ତ ରିପୋର୍ଟର ତଥ୍ୟ ‘ଅତ୍ୟନ୍ତ ଗମ୍ଭୀର’

କାର୍ଯ୍ୟାନୁଷ୍ଠାନ ପାଇଁ ୧୦ ଦିନ ମଧ୍ୟରେ ଆବେଦନ କରିବ ସିବିଆଇ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟ

ନୂଆଦିଲ୍ଲୀ: ସାରଦା ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ କୋଲାକାତାର ପୂର୍ବ ପୁଲିସ କମିସନର ରାଜୀବ କୁମାରଙ୍କୁ ଜେରା ପରେ ସିବିଆଇ ସୁପ୍ରିମ୍‌ କୋର୍ଟରେ ଅନ୍ତରୀଣ ତଦନ୍ତ ରିପୋର୍ଟ ଦାଖଲ କରିଛି। ତେବେ ଏହି ରିପୋର୍ଟରେ ରହିଥିବା ତଥ୍ୟ ଅତନ୍ତ୍ୟ ଗମ୍ଭୀର ବୋଲି ସୁପ୍ରିମ୍‌ କୋର୍ଟ ଆଜି କହିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ , ବିଚାରପତି ଦୀପକ ଗୁପ୍ତା ଏବଂ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ତଦନ୍ତ ରିପୋର୍ଟରେ ଅତ୍ୟନ୍ତ ଗୁରୁତର ତଥ୍ୟ ରହିଛି ଏବଂ କୋର୍ଟ ଏଥିପ୍ରତି ଆଖି ବୁଜି ରହିପାରିବେ ନାହିଁ। ଏହି ମାମଲାରେ ଅନ୍ୟ ପକ୍ଷର ଯୁକ୍ତି ନଶୁଣି କୌଣସି ରାୟ ଦିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସାରଦା ଚିଟ୍‌ଫଣ୍ଡ ମାମଲାରେ କୋଲକାତା ପୁଲିସ ସିବିଆଇକୁ ଆଦୌ ସହଯୋଗ କରୁନଥିବା ଏବଂ ପ୍ରମାଣ ନଷ୍ଟ ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରାଯାଇଥିବା ସିବିଆଇ ଅଦାଲତରେ କହିଛି। ରାଜୀବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆବେଦନ କରିବାକୁ ସିବିଆଇକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଆବେଦନ ଦାଖଲ ପାଇଁ ସିବିଆଇକୁ ୧୦ ଦିନ ସମୟ ଦିଆଯାଇଛି । ସିବିଆଇ ଆବେଦନର ସପ୍ତାହକ ପରେ ରାଜୀବ କୁମାର ମଧ୍ୟ ତାଙ୍କ ଜବାବ ଦାଖଲ କରିବେ। ସିବିଆଇର ତଦନ୍ତ ରିପୋର୍ଟ ବନ୍ଦ ଲଫାପାରେ କୋର୍ଟରେ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର