ଭାରତ ବିରୋଧୀ ଭାଷଣ ଦେଇଥିବା ସର୍ଜିଲ ଇମାମ ବିହାରର ଜାହାନାବାଦରୁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ସାହିନବାଗ ଆନ୍ଦୋଳନରେ ଭାରତ ବିରୋଧୀ ଭାଷଣ ଦେଇଥିବା ସର୍ଜିଲ ଇମାମ ବିହାରର ଜାହାନାବାଦରୁ ଗିରଫ ହୋଇଛି । ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ବିହାର ପୁଲିସ ପକ୍ଷରୁ ତାକୁ ଗିରଫ କରାଯାଇଛି । ତା’ବିରୁଦ୍ଧରେ ଦିଲ୍ଲୀ, ଆସାମ, ମଣିପୁର ଆଦି ରାଜ୍ୟରେ ଦେଶଦ୍ରୋହ ମାମଲା ରୁଜ୍ଜୁ ହୋଇଛି । ଗତ ୪ ଦିନ ହେଲା ତାକୁ ପୁଲିସ ଖୋଜୁଥିଲା ।
ଗତ ସପ୍ତାହରେ ଜେଏନୟୁ ଛାତ୍ର ସର୍ଜିଲ ଇମାମ ସାହିନ ବାଗରେ ଏକ ଭାଷଣ ଦେଇ କହିଥିଲା ଯେ ଆସାମକୁ ଭାରତକୁ ଅଲଗା କରିଦିଆଯାଇ ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । କାରଣ ବଙ୍ଗଳା ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାହାର ଏହି ଭାଷଣର ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ସେ କହିଥିଲା ଯେ ତାପାଖରେ ଯଦି ୩-୪ ଲକ୍ଷ ଲୋକ ରୁହନ୍ତି ସେ ଆସାମକୁ ଭାରତଠାରୁ ଅଲଗା କରିଦେବ ।
ସର୍ଜିଲର ଆଉ ଏକ ଉତ୍ତେଜକ ଭିଡ଼ିଓ ଆସିଛି । ଏହି ଭିଡିଓଟି ସେ ଗତ ଡିସେମ୍ବର ୧୩ରେ ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟରେ ଦେଇଥିବା ଅନୁମାନ କରାଯାଉଛି । ଏଥିରେ ସେ କହୁଛି ଯେ ମୁସଲିମମାନେ ରାସ୍ତାକୁ ଓହ୍ଲାଇ ରାସ୍ତାବନ୍ଦ କରିବା ସହ ଦେଶକୁ ଅଚଳ କରିଦେବା ଆବଶ୍ୟକ । ଏହି ଭିଡିଓକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ ।

ସମ୍ବନ୍ଧିତ ଖବର