ଆଇ-ଟି ରେଡ୍‌ ଖବର ପାଇଁ ଟିଭି ଏବଂ ଖବରକାଗଜରେ ମଜ୍ଜି ରହୁଛନ୍ତି ଶଶିକଳା

ବେଙ୍ଗାଲୁରୁ: ତାଙ୍କର ଏବଂ ତାଙ୍କ ସହଯୋଗୀମାନଙ୍କ ସମ୍ପୃକ୍ତି ଥିବା ୧୮୭ଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ ଚାଲୁ ରହିଥିବାରୁ ବିଚଳିତା ହୋଇ ବନ୍ଦିନୀ ଏଆଏଡିଏମ୍‌କେ ନେତ୍ରୀ ଭି କେ ଶଶିକଳା ତତ୍‌ସଂକ୍ରାନ୍ତ ଖବର ଜାଣିବା ନିମନ୍ତେ ଶନିବାର ଏବଂ ରବିବାର ଦିନ ତାମିଲ୍‌ ଟିଭି ନିଉଜ୍‌ ଚାନେଲ୍‌, ଖବରକାଗଜ ଏବଂ ପତ୍ରପତ୍ରିକାରେ ମଜ୍ଜି ରହିଥିଲେ ବୋଲି ବେଙ୍ଗାଲୁରୁ କାରାଗାର ସୂତ୍ରରୁ ପ୍ରକାଶ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ବର୍ଷ କାରାଦଣ୍ଡ ଭୋଗୁଥିବା ଶଶିକଳା ଶୁକ୍ରବାର ବିଳମ୍ବିତ ରାତ୍ରୀ ଯାଏଁ ଏବଂ ଶନିବାର ଦିନ ଟିଭି ନିଉଜ୍‌ ଚାନେଲ୍‌ ଦେଖୁଥିଲେ।

ଗୁରୁବାର ଦିନ ଠାରୁ ଶଶିକଳା ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ସହ ସମ୍ପୃକ୍ତଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି। ଅଧିକାଂଶ ଚଢ଼ାଉ ସ୍ଥାନ ହେଉଛି ତାମିଲନାଡୁ ଏବଂ ଏଥିରେ ବହୁ ପରିମାଣର ସୁନା ଏବଂ ନଗଦ ଟଙ୍କା ଜବତ୍‌ କରାଯାଇଛି ବୋଲି ଖବର ମିଳୁଛି।

ସେ ଶୁକ୍ରବାର ରାତି ଏବଂ ଶନିବାର ଦିବା ୧ଘଟିକା ଯାଏଁ ତାମିଲ୍‌ ଟିଭି ଚାନେଲ୍‌ ଦେଖୁଥିଲେ। ଶନିବାର ଦିନ ସେ କାରାଗାର ଲାଇବ୍ରେରିକୁ ଯାଇ ତାମିଲି ଦୈନିକ ସବୁ ପଢ଼ିଥିଲେ। ଚଢ଼ାଉ ଖବର ପଢ଼ି ସେ ବିଚଳିତା ହୋଇ ପଡ଼ିଥିଲେ। ତାଙ୍କ ସହ ଯାଇଥିଲେ ଆୟବର୍ହିଭୂତ ସମ୍ପତ୍ତି ମାମଲାରେ ସହ-ଦୋଷିଣୀ ଜେ ଇଲାଓ୍ଵାରାସି।

ସାଧାରଣତଃ, ଶଶିକଳା ଏବଂ ଇଲାଓ୍ଵାରାସି ରାତି ୮ଟା ସୁଦ୍ଧା ରାତ୍ରୀ ଭୋଜନ ଶେଷ କରି ୯ଟାବେଳକୁ ଶୋଇବାକୁ ଯାଆନ୍ତି। ସେ ବିଶେଷକରି ତାମିଲ୍‌ ସିନେମା ଏବଂ ପୁରୁଣା ସିନେମା ଗୀତ ଶୁଣନ୍ତି।

ରବିବାର ସକାଳେ ମଧ୍ୟ ଶଶିକଳା ଲାଇବ୍ରେରିକୁ ଯାଇଥିଲେ। ପୂର୍ବାହ୍ନ ୧୦ଟା ବେଳେ ସେ ପାଠାଗାରକୁ ଯାଇ ୯୦ ମିନିଟ୍‌ କାଳ ତାମିଲ୍‌ ପତ୍ରିକା ଏବଂ ଖବରକାଗଜ ପଢ଼ିଥିଲେ। ତା’ପରେ ସେ ତାଙ୍କ ବାରାକ୍‌କୁ ଫେରି ଇଲାଓ୍ଵାରାସିଙ୍କ ସହ କିଛି ଆଲୋଚନା କରିବା ପରେ କେତୋଟି ପତ୍ର ଲେଖିଥିଲେ।

ରବିବାର ଦିନ ସାମୟିକ ଭାବେ ବନ୍ଦ ରହିବା ପରେ ଶଶିକଳାଙ୍କ ସମ୍ପର୍କୀୟ ଏବଂ ସେମାନଙ୍କ ବାଣିଜ୍ୟ ପ୍ରତିଷ୍ଠାନ ଉପରେ ଆଇ-ଟି ଚଢ଼ାଉ ଚତୁର୍ଥ ଦିନରେ ପ୍ରବେଶ କରିଛି। ସୋମବାର ଦିନ ୨୦-୨୫ ପ୍ରତିଷ୍ଠାନରେ ପୁଣି ଚଢ଼ାଉ ଆରମ୍ଭ ହେବ।

ସମ୍ବନ୍ଧିତ ଖବର