ସାଉଦି ଆରବ ଦୁର୍ନୀତି: ଗିରଫ ରାଜକୁମାର ଓ ବ୍ୟବସାୟୀଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ଆରମ୍ଭ

ରିୟାଦ: ଦୁର୍ନୀତି ବିରୋଧୀ ଅଭିଯାନକୁ କେନ୍ଦ୍ର କରି ସାଉଦି ରାଜ ପରିବାରରେ ସଙ୍କଟ ବଢ଼ିବାରେ ଲାଗିଥିବା ବେଳେ ଆଜି କ୍ରାଉନ୍‌ ପ୍ରିନ୍‌୍‌ସ ମହମ୍ମଦ ବିନ୍‌ ସଲମାନ ଗିରଫ ରାଜକୁମାର ଏବଂ ବ୍ୟବସାୟୀଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସଲମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶାଳ ଦୁର୍ନୀତି ବିରୋଧୀ ଅଭିଯାନ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଦୁର୍ନୀତି ମାମଲାରେ ୧୧ ଯୁବରାଜ, ଅନେକ ମନ୍ତ୍ରୀ, ୫୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ଶତାଧିକ ବ୍ୟବସାୟୀ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ସେମାନଙ୍କର ପ୍ରାୟ ୧୦୦୦ କୋଟି ଡଲାର ମୂଲ୍ୟର ସମ୍ପତ୍ତି ପ୍ରଥମ ପର୍ଯ୍ୟାୟରେ ଜବତ ହେବ ବୋଲି ଜଣାପଡ଼ିଛି। ସାଉଦି ଆରବର ଆଟର୍ଣ୍ଣି ଜେନେରାଲ ସଉଦ୍‌ ଅଲ୍‌ ମୋଜେବ କହିଛନ୍ତି ଯେ ଦେଶରେ ସଂଗଠିତ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଶିଖରରେ ପହଞ୍ଚିବା ପରେ ଏବେ ଏଥିରେ ଅଙ୍କୁଶ ଲଗାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଗତ କିଛି ବର୍ଷ ମଧ୍ୟରେ ରାଷ୍ଟ୍ରରେ ୧୦ ହଜାର କୋଟି ଡଲାର ( ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କା) ହେରଫେର ହୋଇଛି । ଏତେ ବିଶାଳ ପରିମାଣର ଦୁର୍ନୀତି ଯୋଗୁଁ ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି ବୋଲି ସେ କହିଛନ୍ତି। ନିକଟରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଜକୁମାର, ମନ୍ତ୍ରୀ ଓ ଅନ୍ୟ ଅଭିଯୁକ୍ତମାନେ ଦେଶର ବିପୁଳ ଅର୍ଥ ଚଳୁ କରିଦେଇଥିବା ତଦନ୍ତରୁ ଜଣାପଡ଼ିଛି।

ସାଉଦିର ସବୁଠାରୁ ବଡ଼ ପୁଂଜି ଲଗାଣକାରୀମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ସହ ଦୁର୍ନୀତିରେ ସାମିଲ ଥିବା ରାଜକୁମାର ଅଲବଲିଦ ବିନ୍‌ ତଲାଲ, ରାଜକୁମାର ମିତେବ ବିନ୍‌ ଅବଦୁଲ୍ଲା ଏବଂ ତାଙ୍କ ଭାଇ ତୁର୍କୀ ବିନ୍‌ ଅବଦୁଲ୍ଲାଙ୍କ ସମେତ ୧୧ ରାଜକୁମାର ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ରିୟାଦ୍‌ର ଏକ ପଞ୍ଚତାରକା ହୋଟେଲ୍‌ ରିଜ୍‌ କାର୍ଲଟନ୍‌କୁ ଅସ୍ଥାୟୀ ଭାବେ କାରାଗାରରେ ପରିଣତ କରି ଗିରଫ ଯୁବରାଜ ଏବଂ ମନ୍ତ୍ରୀମାନଙ୍କୁ ସେଠାରେ ରଖାଯାଇଛି। ସମ୍ପତ୍ତି ଜବତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର