ଆମେରିକାରେ ଶରଣ ନେବାକୁ ଚାହୁଁଥିଲେ ସାଉଦି ଆରବରେ ରହୁଥିବା ଦୁଇ ଭଉଣୀ, ଅନୁମତି ନ ମିଳିବାରୁ ଆତ୍ମହତ୍ୟା କଲେ

ନ୍ୟୁୟର୍କ : ଅକ୍ଟୋବରରେ ନ୍ୟୁୟର୍କର ହଡ୍‌ସନ ନଦୀ ପାଖରୁ ସାଉଦି ଆରବର ନାଗରିକ ଦୁଇ ଭଉଣୀଙ୍କ ମୃତଦେହ ମିଳିଥିଲା । ଏବେ ଦୁହେଁ ଆତ୍ମହତ୍ୟା କରିଥିବା କହିଛନ୍ତି ଡ଼ାକ୍ତର । ଜଣଙ୍କ ନାଁ ରୋତାନା ଫାରିଆ (୨୨) ହୋଇଥିବା ବେଳେ ଆଉ ଜଣଙ୍କ ନାଁ ତାଲା ଫାରିଆ(୧୬) ବୋଲି ଜଣା ପଡ଼ିଛି । ମୃତ୍ୟୁ ସମୟରେ ଦୁହେଁ କଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଦୁହିଁଙ୍କ ମୃତଦେହ ମିଳିବା ପରେ ଆମେରିକାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।

ଚିଫ୍‌ ମେଡ଼ିକାଲ ଅଫିସର ବାରବରା ସେମ୍ପସନ୍‌ଙ୍କ କହିବା ଅନୁଯାୟୀ, ଯାଞ୍ଚ ପରେ ଫାରିଆ ସିଷ୍ଟର୍ସଙ୍କ ମୃତ୍ୟୁ ଆତ୍ମହତ୍ୟା ଦ୍ୱାରା ହୋଇଛି। ଦୁଇ ଭଉଣୀ ପରସ୍ପରର ଗୋଡ଼ ଏବଂ ଅଣ୍ଟାରେ ରସି ବାନ୍ଧି ହଡ଼ସନ୍‌ ନଦୀକୁ ଡ଼େଇଁଥିଲେ । ଦୁହିଁଙ୍କ ମୃତ୍ୟୁ ପରେ ଜଣାପଡ଼ିଛି କି ଦୁହେଁ ଆମେରିକାରେ ‘ଶରଣ’ ନେବାକୁ ଚାହୁଁଥିଲେ । ଏହା ନ ମିଳିବାରୁ ସେମାନେ ଏପରି କରିଥିବା କହିଛି ପୁଲିସ । କିନ୍ତୁ ପୁଲିସର ଏଭଳି କଥାକୁ ଗ୍ରହଣ କରି ନାହାନ୍ତି ସାଉଦି ଆରବ ଦୂତାବାସର ପ୍ରବକ୍ତା ଫାତିମା ବାସିନ୍‌ । ତାଲା ଏବଂ ରୋତାନା ଦୁହେଁ ଭର୍ଜିନିଆରେ ନିଜ ପରିବାର ସହ ଖୁସିରେ ରହୁଥିବା ସହ ସେମାନେ ଆମେରିକାରେ ଶରଣ ନେବାକୁ ଚାହୁଁଥିବା କଥାକୁ ଅସ୍ୱୀକାର କରିଛନ୍ତି ଫାତିମା ।

ABC

ପୁଲିସ ଦେଇଥିବା ସୂଚନା ମୁତାବକ, ଦୁହିଁଙ୍କୁ ସାଉଦି ଆରବରେ ସେଲ୍‌ଟର ହୋମ୍‌ରେ ରଖା ଯାଇଥିଲା । କିନ୍ତୁ ଗତ ବର୍ଷ ଅଗଷ୍ଟ ମାସରେ ସେମାନେ ସେଠାରୁ ଖସି ଆସି ଆମେରିକାର ଦାମୀ ହୋଟେଲରେ ରହିବାକୁ ଲାଗିଥିଲେ । ଯାହାର ବିଲ୍‌ ସେମାନେ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଦେଇଥିଲେ । କିଛି ଦିନ ଆମେରିକାରେ ରହିବା ପରେ ସେମାନେ ଆମେରିକାରେ ଶରଣ ନେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ନ ମିଳିବାରୁ ଶେଷରେ ସେମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ।

ସମ୍ବନ୍ଧିତ ଖବର