ତାଜମହଲକୁ ସୁରକ୍ଷା ଦିଅ

ନଚେତ୍‌ ଭାଙ୍ଗି ଦିଅ କେନ୍ଦ୍ର, ୟୁପି ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରେମର ମହାନ ସ୍ମାରକୀ ତାଜମହଲର ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତାଜମହଲର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣରେ ଘୋର ସରକାରୀ ଉଦାସୀନତା ଦେଖିବାକୁ ମିଳିଥିବାରୁ ଏଥିରେ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଯଦି କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାର ଏହି ଐତିହାସିକ କୀର୍ତ୍ତିରାଜିକୁ ସମ୍ଭାଳିବାରେ ଅକ୍ଷମ ତା’ହେଲେ ଏହାକୁ ବନ୍ଦ କରିଦିଅନ୍ତୁ କିମ୍ବା ଧ୍ୱଂସ କରିଦିଅନ୍ତୁ ବୋଲି କୋର୍ଟ କହିଛନ୍ତି। ବିଗତ କିଛି ମାସ ଧରି ତାଜମହଲ ପ୍ରତି ବିପଦ ବଢ଼ିବାରେ ଲାଗିଛି । ଏହାର ଚମକ ଫିକା ପଡ଼ିଯାଇଥିବା ବେଳେ ମାର୍ବଲରେ ଶିଉଳି ଜମି ଯାଇଛି । ବ୍ୟାପକ ପ୍ରଦୂଷଣ ଯୋଗୁଁ ଏହାର ବାତାବରଣ ମଧ୍ୟ ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଶିଳ୍ପ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏଭଳି ସ୍ଥିତିରେ ତାଜମହଲର ସୁରକ୍ଷା ନେଇ ସରକାରଙ୍କ କାର୍ଯ୍ୟକଳାପ ନିରାଶାର କାରଣ ହୋଇଛି ବୋଲି ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ୟୁପି ସରକାର ଏହି ବିଶ୍ୱ ଐତିହ୍ୟସ୍ଥଳକୁ ସୁରକ୍ଷା ଦେବାନେଇ ଏକ ଭିଜନ୍‌ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଏହାର ଭର୍ତ୍ସନା କରିଛନ୍ତି। ତାଜମହଲ ଭିତରେ ଏବଂ ବାହାରେ ପ୍ରଦୂଷଣର ଉତ୍ସ କ’ଣ ଜାଣିବାପାଇଁ ଏବଂ ଐତିହ୍ୟର ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ ନିମନ୍ତେ ସୁପ୍ରିମକୋର୍ଟ ବିଚାରପତି ଏମ୍‌ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତାଜ ମହଲକୁ ଫ୍ରାନ୍‌୍‌ସର ଏଫିଲ ଟାଓ୍ଵାରଠାରୁ ଅଧିକ ସୁନ୍ଦର ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି ଯେ ଏହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଯଥେଷ୍ଟ ସମୃଦ୍ଧ କରିପାରିବ। ଏଫିଲ ଟାଓ୍ଵାର ଏକ ଟିଭି ଟାଓ୍ଵାର ଭଳି ହୋଇଥିବା ବେଳେ ତାଜମହଲର ସୌନ୍ଦର୍ଯ୍ୟ ଅତୁଳନୀୟ ବୋଲି କୋର୍ଟ କହିଛନ୍ତି। ଏଫିଲ ଟାଓ୍ଵାରକୁ ଦେଖିବା ପାଇଁ ୮୦ ଲକ୍ଷ ଲୋକ ପ୍ରତିବର୍ଷ ଯାଉଥିବା ବେଳେ ତାଜମହଲ ଦେଖିବା ପାଇଁ ମଧ୍ୟ ପ୍ରତିଦିନ ୪୦ ହଜାରରୁ ଅଧିକ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ଦେଶର ଏହି ମହାନ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ନେଇ ସରକାରୀ ଅବହେଳା ଏହାର ଆକର୍ଷଣକୁ ଗୌଣ କରୁଛି ବୋଲି କୋର୍ଟ କହିଛନ୍ତି। ଶିଳ୍ପନୁଷ୍ଠାନ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ କୋର୍ଟ ମତ ଦେଇଛନ୍ତି। ମୋଗଲ ସମ୍ରାଟ ଶାହଜାହନ ତାଙ୍କ ପତ୍ନୀ ମମତାଜ ମହଲଙ୍କ ସ୍ମୃତିରେ ନିର୍ମାଣ କରିଥିବା ଏହି ଭବ୍ୟ କୀର୍ତ୍ତିରାଜିର ସୁରକ୍ଷା ରାଷ୍ଟ୍ରର ଦାୟିତ୍ୱ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ତାଜମହଲର ସୁରକ୍ଷା ନେଇ ଏକ ପିଟିସନ୍‌ ଉପରେ ଶୁଣାଣି କରି କୋର୍ଟ ଆଜି କହିଛନ୍ତି ଯେ ଆସନ୍ତା ଜୁଲାଇ ୩୧ ତାରିଖ ପରଠାରୁ ତାଜମହଲ ସୁରକ୍ଷା ପ୍ରସଙ୍ଗରେ ନିୟମିତ ଶୁଣାଣି ହେବ। କେନ୍ଦ୍ର ସରକାର ତାଜମହଲର ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ଏବଂ ଏବେ ତାଜମହଲର ସୁରକ୍ଷା ପାଇଁ କ’ଣ ଆବଶ୍ୟକ ସେନେଇ ବିସ୍ତତ ବିବରଣୀ ରଖିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର