ଏସବିଆଇ କମାଇଲା ଏଟିଏମରୁ ଟଙ୍କା ଉଠାଣ ସୀମା, ଦୈନିକ ୪୦,୦୦୦ ବଦଳରେ ହେଲା ୨୦,୦୦୦

ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ନ ହେଉଣୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଝଟକା ଦେଇଛି। ଏଟିଏମରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ପ୍ରତିବନ୍ଧକ ଅକ୍ଟୋବର ୩୧ରୁ ଲାଗୁହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ୩୧ ଅକ୍ଟୋବରରୁ ବ୍ୟାଙ୍କ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ବର୍ତ୍ତମାନ ଏଟିଏମରୁ ଦୈନିକ ଟଙ୍କା ଉଠାଣ ସୀମା ୪୦ ହଜାର ଟଙ୍କା ରହିଛି ।


ଏସବିଆଇ ପକ୍ଷରୁ ଶାଖାଗୁଡ଼ିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଟଙ୍କା ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।

ଏହି ପଦକ୍ଷେପ ଫଳରେ ପାର୍ବଣ ଋୁତୁରେ ଲୋକେ ଟଙ୍କା ଉଠାଣ ବଦଳରେ ଡିଜିଟାଲ୍ କାରବାର ଉପରେ ଗୁରୁତ୍ବ ଦେବେ। କେବଳ ସେତିକି ନୁହେଁ, ଏଟିଏମ୍ ଟଙ୍କା ଉଠାଣ କମିଲେ ଡେବିଟ୍ କାର୍ଡ ନେଇ ହେଉଥିବା ଜାଲିଆତି ମଧ୍ୟ କମିବ ବୋଲି ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର