ସବରିମାଲା ମନ୍ଦିରକୁ ମହିଳାମାନଙ୍କୁ ସିନା ପ୍ରବେଶାଧିକାର ଦେଇଦେଲେ ସୁପ୍ରିମ୍‌ କୋର୍ଟ; ହେଲେ ଦେଶର ଏହି ୪ଟି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରହିଛି ନିଷେଧାଦେଶ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କେରଳର ପ୍ରସିଦ୍ଧ ସବରିମାଲା ମନ୍ଦରକୁ ବୟସ ନିର୍ବିଶେଷରେ ସମସ୍ତ ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ କରିଛନ୍ତି। ପୂର୍ବରୁ ଶତାଧିକ ବର୍ଷ ଧରି ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ଯୁବତୀ ଓ ମହିଳାମାନଙ୍କୁ, ସେମାନଙ୍କ ମାସିକ ଧର୍ମ କାରଣରୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ନିଷେଧାଦେଶ ରହିଥିଲା। ତେବେ, ସୁପ୍ରିମ୍‌ କୋର୍ଟ ଆଜି ଏହି ନିଷେଧାଦେଶକୁ ଉଠାଇ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଆଜିର ଏହି ରାୟ ପରେ ଏଣିକି ବୟସ ନିର୍ବିଶେଷରେ ସବୁ ମହିଳା ଶବରିମାଳା ମନ୍ଦିର ମଧ୍ୟକୁ ଯାଇ ପରିବେ। ହେଲେ, ଆଜି ଦେଶରେ ଏପରି ଅନେକ ମନ୍ଦିର ଅଛି ଯାହା ଭିତରକୁ ମହିଳାମାନଙ୍କ ପ୍ରବେଶ ଉପରେ ରହିଛି ନିଷେଧାଦେଶ। ଏଠାରେ ଆମେ ସେହପରି ଚାରିଟି ମନ୍ଦର ସଂପର୍କରେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ଯେଉଁଠାରେ ମହିଳାମାନଙ୍କ ପ୍ରବେଶ ଉପରେ ଆଜି ବି ବଳବତ୍ତର ରହିଛି ନିଷେଧାଦେଶ…

କାର୍ତ୍ତିକେୟ ମନ୍ଦିର, ପୁଷ୍କର, ହରିୟାଣା:

ହରିୟାଣାର କୁରୁକ୍ଷେତ୍ର ଜିଲ୍ଲା ଅନ୍ତର୍ଗତ ପିହୋଓ୍ଵାରେ ରହିଛି ୫ମ ଶତାବ୍ଦୀରେ ନିର୍ମିତ ହୋଇଥିବା କାର୍ତ୍ତିକେୟ ମନ୍ଦର। ଏଠାରେ ବ୍ରହ୍ମଚାରୀ ଭଗବାନ କାର୍ତ୍ତିକେୟଙ୍କୁ ପୂଜାର୍ଚ୍ଚନା କରା ଯାଇଥାଏ। ଏହି ମନ୍ଦର ମଧ୍ୟକୁ ମହିଳାମାନଙ୍କର ପ୍ରବେଶ ଉପରେ ନିଷେଧାଦେଶ ରହିଛି। କିମ୍ବଦନ୍ତୀ, କହେ ଏହି ମନ୍ଦର ମଧ୍ୟକୁ ମହିଳାମାନେ ପ୍ରବେଶ କଲେ ଭଗବାନ କାର୍ତ୍ତିକେୟ ସେମାନଙ୍କୁ ଆଶୀର୍ବାଦ କରିବା ବଦଳରେ ଅଭିଶାପ ଦେଇଥାନ୍ତି!

ରଣକପୁର ମନ୍ଦିର, ରାଜସ୍ଥାନ:

ରାଜସ୍ଥାନରେ ରହିଛି ପ୍ରସିଦ୍ଧ ରଣକପୁର ମନ୍ଦିର। ୧୫ଶ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟରେ ସମୃଦ୍ଧ ଏହି ମନ୍ଦିରଟି ହେଉଛି ଏକ ଜୈନ ମନ୍ଦିର। ଜୈନମାନଙ୍କର ଏହା ଏକ ପ୍ରମୁଖ ତୀର୍ଥସ୍ଥଳୀ। ଯଦିଓ ଏ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ମହିଳାମାନଙ୍କ ପାଇଁ ସଂପୂର୍ଣ୍ଣ ନିଷେଧାଦେଶ ନାହିଁ; ତଥାପି ମହିଳାମାନଙ୍କର ମନ୍ଦିରକୁ ପ୍ରବେଶ ଉପରେ ରହିଛି ଅନେକ ନୀତି ନିୟମ ଓ କଟକଣା। ମାସିକ ଧର୍ମ ସମୟରେ ମହିଳାମାନେ ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ପୁଣି ପାଶ୍ଚାତ୍ୟ ଶୈଳୀର ପୋଷାକ ପରିଧାନ କରିଥିବା ମହିଳାମାନେ ମନ୍ଦିର ଭିତରକୁ ଯାି ପାରିବେ ନାହିଁ। ଯେଉଁ ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେମାନେ ଆଣ୍ଠୁତଳ ପର୍ଯ୍ୟନ୍ତ ଘୋଡ଼ାଇ ହୋଇଥିବା ପରି ଲୁଗା ପରିଧାନ କରିବେ।

ପାଟବାଉସି ସତ୍ରା, ଆସାମ:

ଆସାମର ବାରପେଟା ସହର ଠାରୁ ମାତ୍ର ୨ କିଲୋମିଟରର ଦୂରରେ ରହିଛି ପାଟବାଉସି ସତ୍ରା ମନ୍ଦିର। ଏଠାରେ ପୂଜା ପାଇଥାନ୍ତି ଏକାଧିକ ବୈଷ୍ଣବ ଗରୁ ଶ୍ରୀ ମହନ୍ତ ଶଙ୍କରଦେବ, ଶ୍ରୀ ମାଧବଦେବ ଏବଂ ଶ୍ରୀ ଦାମୋଦରଦେବ। ଏ ମନ୍ଦର ମଧ୍ୟକୁ ମହିଳାମାନଙ୍କର ପ୍ରବେଶ ଉପରେ ରହିଛି ନିଷେଧାଦେଶ। ତେବେ, ଜାନକୀବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଥିବା ସମୟରେ ୨୦୧୦ରେ ୨୦ ଜଣ ମହିଳାଙ୍କୁ ସଙ୍ଗରେ ଧରି ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। କିନ୍ତୁ, ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ମନ୍ଦିରରୁ ଫେରିବା ପରେ ପୁଣିଥରେ ମନ୍ଦରରେ ମହିଳାମାନଙ୍କର ପ୍ରବେଶ ଉପରେ ନିଷେଧାଦେଶ ଲାଗି ଯାଇଥିଲା।

ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର, ଥିରୁବନ୍ତପୁରମ୍‌, କେରଳ:

କେରଳର ଥିରୁବନ୍ତପୁରମ୍‌ରେ ଥିବା ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର ହେଉଛି ବିଶ୍ୱର ସବୁଠାରୁ ଦନୀ ମନ୍ଦିର। ଏହି ମନ୍ଦିରର ଦେବତାଙ୍କୁ ମହିଳାମାନେ ପୂଜା କରିପାରିବେ କିନ୍ତୁ ମନ୍ଦିରର ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର