ବାର୍ଦ୍ଧକ୍ୟ ଭତ୍ତା ବଢ଼ାଇବା ଓ ପ୍ରତି ଜିଲ୍ଲାରେ ଜରାନିବାସ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକମାନଙ୍କର ଭତ୍ତା ରାଶି ବଢ଼ାଇବା ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବୟୋବୃଦ୍ଧମାନଙ୍କୁ ସହାୟତା କରିବା ନିମନ୍ତେ ପ୍ରତି ଜିଲ୍ଲାରେ ଅନ୍ୟୂନ ଗୋଟିଏ ଜରାନିବାସ ସ୍ଥାପନ କରିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛି।

ସମାଜରେ ବୟୋବୃଦ୍ଧମାନଙ୍କ ଦୁଃଖ, ବିଶେଷକରି ଯେଉଁମାନେ ସେମାନଙ୍କ ପରିବାରରୁ ବିତାଡ଼ିତ ହୋଇଛନ୍ତି, ସେ ସମ୍ବନ୍ଧରେ ଚିନ୍ତାପ୍ରକଟ କରି ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତ କହିଲେ ଯେ ଏହି ଲୋକେମାନେ ସ୍ୱତନ୍ତ୍ର ତତ୍ତ୍ୱ ଏବଂ ଧ୍ୟାନ ଆବଶ୍ୟକ କରନ୍ତି ଏବଂ ତାହା ସମାଜର ଅନେକ ସ୍ଥଳରେ ପରିଲକ୍ଷ ହେଉନାହିଁ। ତେଣୁ, କେନ୍ଦ୍ର ଓ ରାଜ୍ୟ ସରକାର ସବୁ ସେମାନଙ୍କର ସ୍ୱାର୍ଥ ରକ୍ଷାରେ ସମ୍ପୃକ୍ତ ହେବା ଉଚିତ।

ସାମ୍ପ୍ରତିକ ଯୋଜନାରେ ୬୦-୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀ ନେସ୍‌ନାଲ୍‌ ଓଲ୍‌ଡ୍‌ ଏଜ୍‌ ପେନ୍‌ସନ୍‌ ସ୍କିମ୍‌ରେ ମାସିକ ଟ. ୨୦୦/- ଏବଂ ୮୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ମାସିକ ଟ. ୫୦୦/- ଭତ୍ତା ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଦ୍ୱାରା ଭତ୍ତା ଧାର୍ଯ୍ୟ ଅର୍ଥରାଶି ଉପରେ ରାଜ୍ୟ ସରକାର ସବୁ କିଛି ଅର୍ଥ ଯୋଗ କରୁଥିବାରୁ ରାଜ୍ୟ ରାଜ୍ୟ ମଧ୍ୟରେ ଭତ୍ତା ରାଶି ମଧ୍ୟରେ ତାରତମ୍ୟ ରହୁଛି।

୨୦୦୭ରେ କେନ୍ଦ୍ର ସରକାର ଏହି ଯୋଜନା ଚାଲୁ କରିବା ବେଳେ ନିର୍ଦ୍ଧାରିତ ଏହି ଅର୍ଥରାଶି ସେବେଠାରୁ ସଂଶୋଧିତ ହୋଇ ନାହିଁ। ଅଧିକ ପ୍ରାସଙ୍ଗିକତା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନାକୁ ସମୀକ୍ଷା କରି ଅର୍ଥରାଶି ବଢ଼ାଇବା ଉଚିତ।

ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ଏବଂ ଆଡ୍‌ଭୋକେଟ୍‌ ସଞ୍ଜୀବ ପାଣିଗ୍ରାହୀଙ୍କ ଆବେଦନ ଉପରେ ରାୟ ଦେଇ ସୁପ୍ରିମ୍‌ କୋର୍ଟ ଏଭଳି ଆଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର