ସ୍ପଷ୍ଟ କଲେ ସୁପ୍ରିମ୍କୋର୍ଟ:ଗୋରକ୍ଷା ନାଁରେ ହିଂସା ଗ୍ରହଣୀୟ ନୁହେଁ
ଏହାକୁ ରୋକିବା ରାଜ୍ୟଗୁଡ଼ିକର ଦାୟିତ୍ୱ:ଖୁବ୍ଶୀଘ୍ର ଜାରି ହେବ ଗାଇଡ୍ଲାଇନ୍
ନୂଆଦିଲ୍ଲୀ: ଗୋହତ୍ୟା ଓ ପିଲାଚୋରି ଗୁଜବକୁ ଆଧାର କରି ଲୋକମାନଙ୍କ ଦ୍ୱାରା ହେଉଥିବା ହତ୍ୟାକାଣ୍ଡକୁ ଅପରାଧ ବୋଲି ଦର୍ଶାଇଛନ୍ତି ସୁପି୍ରମ୍କୋର୍ଟ। କହିଛନ୍ତି, ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହା ନାମରେ ହିଂସାକାଣ୍ଡ ଘଟାଇବା ଏବଂ ଆଇନକୁ ହାତମୁଠାକୁ ନେଇ ଅନ୍ୟର ଜୀବନ ନେବା ହେଉଛି ଗର୍ହିତ ଅପରାଧ। ଏହାକୁ ରୋକାଯିବା ଆବଶ୍ୟକ। ରାଜ୍ୟଗୁଡ଼ିକ ଏଥିପାଇଁ ଉତ୍ତରଦାୟୀ ରହିବେ। ଏଭଳି ହିଂସାକାଣ୍ଡକୁ ରୋକିବା ପାଇଁ ରାଜ୍ୟଗୁଡ଼ିକ ଧାରା ୨୫୭ ଅନୁସାରେ ନୂଆ ସ୍କିମ୍ ତିଆରି କରିପାରିବେ।
ପ୍ରଧାନ ବିଚାରପତିି ଦୀପକ ମିଶ୍ର, ବିଚାରପତି ଏ ଏମ୍ ଖାନ୍ଓ୍ଵିଲ୍କର ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଗୋରକ୍ଷା ନାମରେ ଦେଶର ଅଧିକାଂଶ ସ୍ଥାନରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ନେଇ ଲୋକମାନେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି। ଏମିତି କି ନିକଟରେ ପିଲାଚୋରି ଗୁଜବକୁ ନେଇ ମଧ୍ୟ ହତ୍ୟାକାଣ୍ଡ ଘଟଣା ବଢୁଛି। କିନ୍ତୁ ଆଇନ ଆଖିରେ ଏହା ଅପରାଧ। ଉଦ୍ଦେଶ୍ୟ ଯାହା ହେଉପଛେ କେହି ଆଇନକୁ ହାତକୁ ନେଇପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ନିକଟରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲୋଚାର ସନ୍ଦେହରେ ଗ୍ରାମବାସୀମାନେ ୫ ଜଣଙ୍କୁ ପିଟିପିଟି ମାରିଦେଇଥିଲେ। ଏହା ପୂର୍ବରୁ ତାମିଲନାଡୁ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ପିଲାଚୋରି ସନ୍ଦେହରେ ହିଂସାକାଣ୍ଡ ଘଟଣା ଘଟିଛି। ଗୌହାଟୀରେ ଜଣେ ମହିଳାଙ୍କୁ ପିଲାଚୋର ସନ୍ଦେହରେ ଗଛରେ ବାନ୍ଧି ଲୋକମାନେ ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ହିଂସାକାଣ୍ଡକୁ ରୋକିବା ନିମନ୍ତେ ଗାଇଡ୍ଲାଇନ୍ ଜାରି ହେବା ଜରୁରି ଦର୍ଶାଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ଏଥିପାଇଁ ସୁପ୍ରିମକୋର୍ଟ ଗାଇଡ୍ଲାଇନ୍ ଆଣିବାକୁ ଯୋଜନା କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିମନ୍ତେ ଏହା ଜାରି ହେବ। କେନ୍ଦ୍ର ପକ୍ଷରୁ ଏ ନେଇ କୁହାଯାଇଛି ଯେ ହିଂସାକାଣ୍ଡ ଯୋଗୁ ରାଜ୍ୟଗୁଡ଼ିକରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଅଦାଲତଙ୍କ ହସ୍ତକ୍ଷେପ ଦ୍ୱାରା ରାଜ୍ୟ ଏହାର ମୁକାବିଲା କରିବା ଆବଶ୍ୟକ।
ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ସର୍ବୋଚ୍ଚ ଅଦାଲତ ଗୋରକ୍ଷା ନାମରେ ଘଟୁଥିବା ହିଂସାକାଣ୍ଡକୁ ବନ୍ଦ କରିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଥିଲେ। ପ୍ରତ୍ୟେକ ଜିଲ୍ଲାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରି ହିଂସାତ୍ମକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ବି କିଛି ରାଜ୍ୟ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିପାରି ନାହାନ୍ତି। ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଗୋହତ୍ୟାକୁ ନେଇ ହିଂସାକାଣ୍ଡ କମିବାରେ ନାଁ ନେଉନାହିଁ।