ସୁପ୍ରିମକୋର୍ଟ ଜଜ୍‌ ଭାବେ ପଦୋନ୍ନତି ପାଇଁ ଜେଶେଫଙ୍କ ନାମ ପୁଣି ଥରେ ସୁପାରିଶ କଲା କଲେଜିୟମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ପୁଣିଥରେ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେଏମ ଜୋଶେଫଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ କରିଛି । ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା କଲେଜିୟମର ବୈଠକ ଗତ ୧୬ ତାରିଖ ଦିନ ବସିଥିଲା । କଲେଜିୟମରେ ଜଷ୍ଟିସ ରଂଜନ ଗୋଗୋଇ, ମଦନ ବି. ଲୋକୁର, କୁରିଏନ ଜୋସେଫ ଓ ଏକେ ସିକ୍ରି ସଦସ୍ୟ ଅଛନ୍ତି । ଏଥିର ପୁଣି ଥରେ ତାଙ୍କ ନାମକୁ ସୁପାରିଶ କରିବା ସହ କୁହାଯାଇଛି ଯେ ସୁପ୍ରିମକୋର୍ଟ ବିଚାରପତି ହେବାଲାଗି ତାଙ୍କର ଯୋଗ୍ୟତା ରହିଛି । କଲେଜିୟମ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଗତ ଥର ଏହି ସୁପାରିଶକୁ ଫେରାଇବା ବେଳେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜପତ୍ରରେ ଯେଉଁ କାରଣ ଦର୍ଶାଇଥିଲେ ସେଗୁଡ଼ିକୁ ଭଲଭାବରେ ତର୍ଜମା କରାଯାଇଛି । ତାଙ୍କର ଯୋଗ୍ୟତା ନେଇ ଯେଉଁ ସବୁ ସଂଦେହ ରହିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କଲେଜିୟମ କହିଛନ୍ତି ।

ଗତ ଏପ୍ରିଲ ମାସ ଶେଷ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରାଳୟ କେଏମ ଜୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ କରିବା ପାଇଁ କୋଲେଜିୟମ କରିଥିବା ସୁପାରିଶକୁ ଫେରାଇ ଦେଇଥିଲେ । ଏଥିପାଇଁ ସରକାର ମୁଖ୍ୟତଃ ଦୁଇଟି କାରଣ ଦର୍ଶାଇଥିଲେ । ପ୍ରଥମ, ନ୍ୟାୟମୂର୍ତ୍ତି ଯୋଶେଫଙ୍କ ବରିଷ୍ଠତା ନାହିଁ। ବରିଷ୍ଠତା ତାଲିକାରେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ଉପରେ ଆହୁରି ୪୧ଜଣ ହାଇକୋର୍ଟ ବିଚାରପତି ଅଛନ୍ତି। ସରକାରଙ୍କ ଯୁକ୍ତି ଯେ, ବରିଷ୍ଠତାରେ ୪୨ ନମ୍ବର ନ୍ୟାୟମୂର୍ତ୍ତି ଯୋଶେଫଙ୍କୁ ପଦୋନ୍ନତି ଦିଆଗଲେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ। ଦ୍ୱିତୀୟ କାରଣ, ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ନିଯୁକ୍ତି ଭାରସାମ୍ୟ ପ୍ରଭାବିତ କରିବ। ନ୍ୟାୟମୂର୍ତ୍ତି ଯୋଶେଫ ମୂଳତଃ ବିଚାରପତି ଭାବେ ନିଯୁକ୍ତି ପାଇଥିବା କେରଳ ହାଇକୋର୍ଟର ବର୍ତ୍ତମାନ ସୁପ୍ରିମ୍ କୋର୍ଟ ବିଚାରପତି ମଣ୍ଡଳୀର ପ୍ରତିନିଧିତ୍ୱ ରହିଛି। ନ୍ୟାୟମୂର୍ତ୍ତି ଯୋଶେଫ ସୁପ୍ରିମ୍ କୋର୍ଟକୁ ଆସିଲେ କେରଳର ପ୍ରତିନିଧିତ୍ୱ ଅନୁପାତଠାରୁ ଅଧିକ ହେବ, ଯାହାଦ୍ୱାରା ଆଞ୍ଚଳିକ ଭାରସାମ୍ୟ ପ୍ରଭାବିତ ହୋଇପାରେ।

ସମ୍ବନ୍ଧିତ ଖବର