ସିବିଆଇକୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା:ମଣିପୁର ମିଥ୍ୟା ଏନ୍‌କାଉଣ୍ଟର

ନୂଆଦିଲ୍ଲୀ : ମଣିପୁର ନକଲି ଏନ୍‌କାଉଣ୍ଟର ମାମଲାରେ ଆଜି ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ମାମଲାରେ ଯାଞ୍ଚ କାର୍ଯ୍ୟରେ ମନ୍ଥରତା ହେତୁ ଆଜି ସୁପ୍ରିମକୋର୍ଟ ପୁଣିଥରେ ବର୍ମାଙ୍କୁ ଭର୍ତ୍ସନା କରିଛନ୍ତି। କୌଣସି ଜଣେ ହେଲେ ଅଭିଯୁକ୍ତଙ୍କୁ କାହିଁକି ଏଯାବତ୍‌ ଗିରଫ କରାଯାଇନି ବୋଲି ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ମାମଲାରେ ଗିରଫ ନିର୍ଦ୍ଦେଶ ସହ ଆବଶ୍ୟକ ପଡ଼ିଲେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯଦି ଏହା ବେଶିଦିନ ଚାଲିବ ତେବେ ସମାଜରେ କିଭଳି ସ୍ଥିତି ଉପୁଜିବ ବୋଲି ଆଜି ଜଷ୍ଟିସ୍‌ ଏମ୍‌ ବି ଲୋକୁର ଏବଂ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟରେ ହାଜର ହୋଇଥିବା ବର୍ମା ଆଜି କହିଛନ୍ତି ଯେ ନକଲି ହତ୍ୟା ମାମଲାରେ ୧୪ ଅଭିଯୁକ୍ତଙ୍କୁ ଚାର୍ଜସିଟ୍‌ କରାଯାଇଛି। ଅଗଷ୍ଟ ୨୦ ତାରିଖରେ ସିବିଆଇ ମୁଖ୍ୟ ପୁଣିଥରେ କୋର୍ଟରେ ହାଜର ହେବେ। ସୁପ୍ରିମକୋର୍ଟ ମଣିପୁରରେ ୧୫୨୮ ମାମଲାର ଯାଞ୍ଚ ପାଇଁ ହୋଇଥିବା ଆବେଦନର ଶୁଣାଣି କରୁଛନ୍ତି। ମଣିପୁରରେ ୨୦୦୦ରୁ ୨୦୧୨ ମଧ୍ୟରେ ସୁରକ୍ଷାବାହିନୀ ଏବଂ ପୁଲିସ ମିଥ୍ୟା ଏନ୍‌କାଉଣ୍ଟରରେ ୧୫ ଶହରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର