ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ  ଆଧାର ଲିଙ୍କ ସମୟସୀମା ବଢାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଭିନ୍ନ ସରକାରୀ ସ୍କିମ୍‌, ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ ଆଧାର ନମ୍ବର ଲିଙ୍କ କରିବାର ଶେଷ ତାରିଖକୁ ସୁପ୍ରିମକୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇଦେଇଛନ୍ତି । ଏପରିକି ତତ୍କାଳ ପାସପୋର୍ଟ ଆବେଦନ ପାଇଁ ମଧ୍ୟ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମୁଖ୍ୟବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଗତ ୭ ତାରିଖରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ସାମ୍ବିଧାନିକ ବେଞ୍ଚ ମତ ଦେଇଥିଲେ ଯେ ଆଧାର ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ବିଭିନ୍ନ ମକଦ୍ଦମାଗୁଡ଼ିକର ଶୁଣାଣି କରି ରାୟ ଦେବା ମାର୍ଚ୍ଚ ୩୧ ଭିତରେ ସମ୍ଭବ ନୁହେଁ । ଏହି ବେଞ୍ଚ ଆହୁରି ମଧ୍ୟ କହିଥିଲେ ଯେ ଏହି ପ୍ରସଙ୍ଗର ଏକ ବଡ଼ ପ୍ରଭାବ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନଙ୍କ ଉପରେ ରହିଛି । ଯଦି ଶେଷ ମୂହୂର୍ତ୍ତରେ ଶେଷତାରିଖ ବଢାଯାଏ ତେବେ ତାହା ଗୁରୁତର ସମସ୍ୟା ସୃଷ୍ଟି କରିବ ।

ଏହା ପୂର୍ବରୁ ଗତ ଫେବ୍ରୁଆରି ୨୨ରେ କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ବିଚାରପତି କେଏସ ପୁଟ୍ଟାସ୍ୱାମୀ କହିଥିଲେ ଯେ ଆଧାର ଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଗୁଁ ଲୋକମାନେ ଠିକ ଭାବରେ ଖାଦ୍ୟସାମଗ୍ରୀ ନ ପାଇ ମୃତ୍ୟୁବରଣ କରୁଥିବା ମାମଲା ସାମନାକୁ ଆସିଛି ।

ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍‌ କରିବା ବାଧ୍ୟତାମୂଳକ କରିଥିଲେ । ଦେଶରୁ କଳାଧନକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ ବ୍ୟାଙ୍କ ଖାତା, ମ୍ୟୁଚୁଆଲ ଫଣ୍ଡ ଓ ବୀମା ପଲିସୀ ସହ ଆଧାର ଲିଙ୍କ୍‌ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏଥିଲାଗି ଡିସେମ୍ବର ୩୧ ଶେଷ ତାରିଖ ରଖାଯାଇଥିଲା । କିନ୍ତୁ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଏହି ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲେ । ଏହା ପରେ ସରକାରଙ୍କ ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ଡିସେମ୍ବର ୩୧ ଶେଷ ତାରିଖକୁ ଉଠାଇ ଦିଆଯାଇ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖ ବୋଲି ଲେଖାଯାଇଥିଲା ।

ସମ୍ବନ୍ଧିତ ଖବର