ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ୍‍ କରି ପାରିବେ ନାହିଁ ବୋଲି ସର୍ତ୍ତ ରଖି ଦମ୍ପତିଙ୍କୁ ଛାଡ଼ପତ୍ର ମଞ୍ଜୁର କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ େଓ୍ଵବ୍‌ସାଇଟ୍‌, ଆପ୍ଲିକେସନ୍‌ କିଂବା ଇଣ୍ଟର୍‌ନେଟ୍‌କୁ ଯିବାକୁ ସେମିତି କୌଣସି ମଧ୍ୟମରେ ପରସ୍ପରର ଫଟୋ ପୋଷ୍ଟ କରି ପାରିବେ ନାହିଁ ବୋଲି ସର୍ତ୍ତ ରଖି ସୁପ୍ରିମ୍‌ କୋର୍ଟ ଏକ ଦମ୍ପତିଙ୍କୁ ଛାଡ଼ପତ୍ର ମଞ୍ଜୁର କରିଛନ୍ତି। ବ୍ୟକ୍ତିର ଖ୍ୟାତି ଏବଂ ଅପଖ୍ୟାତିରେ ସାମାଜିକ ଗଣମାଧ୍ୟମର ଭୂମିକା ଥିବାରୁ ସୁପ୍ରିମ୍‌ କୋର୍ଟ ଏ ଭଳି ନିଷ୍ପତ୍ତି ନେଇଛନ୍ତି। ଏ ଭଳି ଫଟୋ ପୋଷ୍ଟିଙ୍ଗ୍‌ ମାମଲା ଏବେ ବଢ଼ି ଚାଲିଛି।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏ କଥା ପ୍ରତି ଧ୍ୟାନ ଦେଇ ଏ ଭଳି ସର୍ତ୍ତ ରଖିଛନ୍ତି।
ଛାଡ଼ପତ୍ର ପାଇଁ ଆବେଦନ କରିଥିବା ମହିଳାଙ୍କ ଓକିଲ ଦୁଶ୍ୟନ୍ତ ପରାଶର ବ୍ୟକ୍ତିର ଜୀବନରେ ସାମାଜିକ ଗଣମାଧ୍ୟମର ସ୍ଥାନ ଉପରେ ଗୁରୁତ୍ୱାରୋପ କରିବା ଏବଂ ସେ ଦମ୍ପତି ପୂର୍ବରୁ େଓ୍ଵବ୍‌ସାଇଟ୍‌ରେ ଫଟୋ ପୋଷ୍ଟିଙ୍ଗ୍‌ ଘଟଣାରେ ପରସ୍ପର ବିରୋଧରେ ସାଇବର୍‌ ଆଇନ୍‌ ଅଧୀନରେ ମାମଲା ରୁଜୁ କରିଥିବା କଥା କହିବାରୁ ଖଣ୍ଡପୀଠ ଏଭଳି ଅପୂର୍ବ ସର୍ତ୍ତ ରଖିଛନ୍ତି।

ସେ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ମ୍ୟାନେଜ୍‌ମେଣ୍ଟ୍‌ ଗ୍ରାଜୁଏଟ୍‌। ମହିଳା ଜଣକ ହେଉଛନ୍ତି ଜଣେ ଇଞ୍ଜିନିୟର୍‌। ଉଭୟ ୨୦୧୩ରେ ବିବାହ କରିଥିଲେ। ପରେ ପରେ ଦାମ୍ପତ୍ୟ ଜୀବନ ଦୁଃସହ ହେବାରୁ ପରସ୍ପର ଠାରୁ ଅଲଗା ରହୁଥିଲେ। ସେତେବେଳେ ମଧ୍ୟ ଉଭୟ ଉଭୟଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଅଭିଯୋଗ କରି ଶେଷରେ ଛାଡ଼ପତ୍ର ଆବେଦନ କରିଥିଲେ।

ଭରଣ ପୋଷଣ ପାଇଁ ଏକକାଳୀନ ୩୭ ଲକ୍ଷ ଟଙ୍କା ସେ ମହିଳାଙ୍କୁ ଦେବା ପାଇଁ ଅଦାଲତ ସେ ବ୍ୟକ୍ତିଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର