ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପ୍ରସଙ୍ଗ : କେନ୍ଦ୍ର, ରାଜ୍ୟ ଓ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ପରେ ଚୂଡ଼ାନ୍ତ ଶୁଣାଣି

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମ୍‌କୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଦାନ ସେବାୟତ ଗ୍ରହଣ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ମନ୍ଦିର ପରିସରରେ ସିସିଟିଭି ଲଗାଯିବା ସହ ଚାରି ଦ୍ୱାରରେ ଶ୍ରୀମନ୍ଦିର ଦ୍ୱାରରେ ନୋଟିସ୍‌ ଲଗା ଯାଇଥିଲା। ଗୁରୁବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରି ସର୍ବୋଚ୍ଚ ଅଦଲତ  ଏ ନେଇ ପୁରୀ ଜିଲ୍ଲା ଜଜ କୋର୍ଟ ପକ୍ଷରୁ ପ୍ରଦତ୍ତ ରିପୋର୍ଟକୁ ଗ୍ରହଣ କରିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସୁପ୍ରିମ୍‌କୋର୍ଟ ଦେଶର ବିଭିନ୍ନ ମନ୍ଦିରରେ କିଭଳି ବିଧି ବ୍ୟବସ୍ଥା ରହିଛି ତାହର ଅନୁଧ୍ୟାନ କରି ଏକ ରିପୋର୍ଟ ଦେବାକୁ ସଂସ୍କୃତି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ମଧ୍ୟ ଏପରି ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଏହି ରିପୋର୍ଟ ଦାଖଲ କରିବା ଲାଗି ସଂସ୍କୃତି  ମନ୍ତ୍ରାଳୟ ୨ ସପ୍ତାହ ସମୟ ମାଗିଥିବା ବେଳେ ରାଜ୍ୟ ସରକାର ଏଥିଲାଗି ନିଯୁକ୍ତ ତିନି ଜଣିଆ କମିଟିର ରିପୋର୍ଟ ଦାଖଲ ଲାଗି ସମୟ ଚାହିଛନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ବିଧି ବ୍ୟବସ୍ଥାକୁ ତଦରଖ କରି ରିପୋର୍ଟ ଦେବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ମଧ୍ୟ ରଥଯାତ୍ରା ପରେ ପୁରୀ ଆସି ଅନୁଧ୍ୟାନ କରି ରିପୋର୍ଟ ନେବେ। ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୫ ତାରିଖରେ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର, ରାଜ୍ୟ ଓ ଆମିକସ୍‌ କ୍ୟୁରିଙ୍କ ପକ୍ଷ ଉପସ୍ଥାପନା ପରେ କୋର୍ଟ ରାୟ ଶୁଣାଇବେ । ଆଇନଜୀବୀ ମୃଣାଳିନୀ ପାଢ଼ୀ ଏହି ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର