ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଗୁରୁବାର ବିବାଦୀୟ ଇନ୍ଦିରାସାଗର ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି ହେବ। ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନାରେ ଆପୋଷ ବୁଝାମଣା ଦ୍ୱାରା ବିବାଦର ସମାଧାନ କରିବା ପାଇଁ ଗତବର୍ଷ ଡିସେମ୍ବର୧୨ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯିବା ପରେ ଏହି ମାମଲାର ଶୁଣାଣି ୨ମାସ ପାଇଁ ସ୍ଥଗିତ ରଖାଯାଇଥିଲା। ଗୁରୁବାର ମୂଳ ଆବେଦନର ଶୁଣାଣି ସମୟରେ ଓଡ଼ିଶା ସରକାର ଆପୋଷ ବୁଝାମଣା ନେଇ ଯେଉଁ ସବୁ ତଥ୍ୟ ପାଇଛନ୍ତି ସେନେଇ ଖଣ୍ଡପୀଠଙ୍କୁ ଅବଗତ କରାଇବେ। ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦେଇଥିବା ପ୍ରସ୍ତାବ ମୁତାବକ, ଆପୋସ ବୁଝାମଣାକୁ ଗୁରୁତ୍ୱ ଦେବେ ନା ନ୍ୟାୟିକ ପ୍ରକ୍ରିୟାରେ ସମାଧାନ ଚାହିଁବେ ସେନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପକୁ ନେଇ ଓଡ଼ିଶା,ଛତିଶଗଡ଼ ଓ ତେଲେଙ୍ଗାନା ପୃଥକ୍ ଭାବେ ମାମଲା ଦାୟର କରିଥିବା ବେଳେ ନିକଟରେ ଓଡ଼ିଶା ଓ ତେଲେଙ୍ଗାନା ମିଳିତ ଭାବେ ଆଇନ୍ଗତ ଲଢେଇକୁ ଆଗେଇନେବାକୁ ସ୍ଥିର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକଳ୍ପ କାର୍ଯ୍ୟକୁ ଆନ୍ଧ୍ରପ୍ରଦେଶ ସରକାର ଜୋରସୋରରେ ଶେଷ କରିବାକୁ ଲାଗିଥିବା ବେଳେ ଏଥିରେ ରହିତାଦେଶ ଜାରି କରିବା ପାଇଁ କୋର୍ଟରେ ଓଡ଼ିଶା ସରକାର ଅପିଲ କରିପାରନ୍ତି। ଏହାମଧ୍ୟରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠର ଜବାବ୍ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିସାରିଛନ୍ତି। ଏହି ଜବାବ୍ରେ ଓଡ଼ିଶା ସରକାର ପ୍ରକଳ୍ପକୁ ନେଇ ରାଜ୍ୟର ଆପତ୍ତି ଅଭିଯୋଗକୁ ବିଶେଷଭାବେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଛତିଶଗଡ଼ ମଧ୍ୟ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଜିଲ୍ଲା ଓ ଲୋକଙ୍କ ଅସୁବିଧା ସମ୍ପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି। ତେଲେଙ୍ଗାନାର ସ୍ୱେଚ୍ଛୋସେବୀ ସଂଗଠନ‘ରେଲା’ମଧ୍ୟ ସୁପ୍ରିମକୋର୍ଟରେ ଏହି ପ୍ରକଳ୍ପ ସଂକ୍ରାନ୍ତ ଯୁକ୍ତି ଉପସ୍ଥାପନ କରିବ।