ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆସନ୍ତାକାଲି ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖି ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ହେବାକୁ ଥିବା ଏହି ଶୁଣାଣିରେ ଓଡ଼ିଶା ପକ୍ଷରୁ ପୋଲାଭରମ ପ୍ରକଳ୍ପ ନେଇ ରହିଥିବା ଆପତ୍ତି ଅଭିଯୋଗ ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ମିଳିଛି।

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ପୋଲାଭରମ ସପକ୍ଷରେ ଯେଉଁ ସବୁ ଯୁକ୍ତି ଦର୍ଶାଯାଇଛି ସେଗୁଡ଼ିକ ଦୃଢ଼ଭାବରେ ଖଣ୍ଡନ କରାଯିବ ବୋଲି ଅନୁମାନ କରାଯାଉଛି। ଏକତରଫା ଭାବେ ପ୍ରକଳ୍ପକୁ ଅନୁମତି ଦିଆଯାଇଥିବାରୁ ତାହା ଓଡ଼ିଶାର ସ୍ୱାର୍ଥକୁ ହାନି କରୁଛି ବୋଲି ଯୁକ୍ତି ଉପସ୍ଥାପନ କରାଯିବ। ପୋଲାଭରମ ପ୍ରଳକ୍ପ ଯୋଗୁଁ ମାଲକାନଗିିରିର ଅନେକ ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ତଥା ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପର ଡିଜାଇନକୁ ପରିବର୍ତ୍ତନ କରି ଉଚ୍ଚତା ବୃଦ୍ଧି କରିଥିବା ସମ୍ପର୍କରେ ମଧ୍ୟ ଓଡ଼ିଶା ଆସନ୍ତାକାଲି ଶୁଣାଣି ବେଳେ ଅବଗତ କରାଇବାର ବୋଲି ସମ୍ଭାବନା ରହିଛି। ପ୍ରକଳ୍ପର କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବାପାଇଁ ଓଡ଼ିଶା ଦାବି କରିବ।

ଶୁଣାଣିରେ ଓଡ଼ିଶା ପକ୍ଷରୁ ମାମଲାରେ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାପାଇଁ ଖଣ୍ଡପୀଠଙ୍କ ନିକଟରେ ପ୍ରାର୍ଥନା କରାଯିବ। ଜାତୀୟ ପ୍ରକଳ୍ପ ଆଳରେ କେନ୍ଦ୍ର ଦ୍ୱାରା ଆନ୍ଧ୍ରପ୍ରଦେଶକୁ ଅନୁକମ୍ପା ଦେଖାଇବା ଓ ବ୍ୟାପକ ଅର୍ଥବରାଦ କରିବାଦ୍ୱାରା ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଉଥିବା ଓଡ଼ିଶା ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯିବ। ପୋଲାଭରମ ପ୍ରକଳ୍ପକୁ ବିରୋଧ କରାଯାଇ ଏକାଧିକ ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି। ଗତ ମାସ ୭ ତାରିଖରେ ଓଡ଼ିଶାର ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ପୋଲାଭରମ ମାମଲାରେ କେନ୍ଦ୍ରକୁ ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ୨ ବର୍ଷ ଧରି ପୋଲାଭରମ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜବାବ୍‌ ଦାଖଲ କରିନଥିବାରୁ କେନ୍ଦ୍ର ଉପରେ ୨୦ହଜାର ଟଙ୍କାର ଜରିମାନା ଲଗାଇଥିଲେ।

ଚଳିତମାସ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ଓଡ଼ିଶାର ସମସ୍ତ ଅଭିଯୋଗ ଗୁଡ଼ିକୁ ଖଣ୍ଡନ କରିବା ସହିତ ଓଡ଼ିଶାର ଆବେଦନକୁ ଜରିମାନା ସହ ଖାରଜ କରିବାପାଇଁ କହିଥିଲେ। ଆନ୍ଧ୍ର ପୁର୍ନଗଠନ ଆଇନର ସେକ୍ସନ୍‌-୯୦କୁ ସଂଶୋଧନ କରାଯାଇପାରିବ ନାହିଁ ବୋଲି ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରିଥିଲେ। ଏହାପରେ ଓଡ଼ିଶା ଦ୍ୱାରା ପୋଲାଭରମ ମାମଲାରେ କୋର୍ଟଙ୍କ ନିକଟରେ ଅତିରିକ୍ତ ନଥିପତ୍ର ଦାଖଲ କରାଯାଇଥିଲା। ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପକୁ ୨୦୧୯ ସୁଦ୍ଧା ଶେଷ କରିବାପାଇଁ ସମୟସୀମା ଧାର୍ଯ୍ୟ କରିଥିବାବେଳେ ଆସନ୍ତାକାଲି ଓଡ଼ିଶାର ଅଭିଯୋଗ ସମ୍ପର୍କରେ କୋର୍ଟଙ୍କ ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧିତ ଖବର