ଅଦାଲତ ଅବମାନନା ମାମଲା : ଅନିଲ ଅମ୍ବାନୀ ଦୋଷୀ ସାବ୍ୟସ୍ତ

୪୫୩ କୋଟି ଦିଅ, ନହେଲେ ୩ ମାସ ଜେଲ୍

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଆଜି ରିଲାଏନ୍ସ କମ୍ୟୁନିକେସନ୍‌ର ମୁଖ୍ୟ ଅନିଲ ଅମ୍ବାନିଙ୍କୁ ‌ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ଚାରି ସପ୍ତାହ ଭିତରେ ୪୫୩ କୋଟି ଟଙ୍କା ନଦେଲେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଏରିକ୍ସନ୍ ଇଣ୍ଡିଆ ନାମକ ଏକ ବିଦେଶୀ କଂପାନି ପକ୍ଷରୁ ଅନିଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା। ରିଲାଏନ୍ସ କମ୍ୟୁନିକେସନ୍‌ର ନେଟ୍‌ୱର୍କର ଦେଖାଶୁଣା ଏହି କଂପାନି କରୁଥିଲା। ସେ ବାବଦରେ ଏରିକ୍ସନ ୫୫୦ କୋଟି ଟଙ୍କା ପାଇବାର ଥିଲା ଯାହା ଅନିଲ ଦେଉନାହାନ୍ତି। କଂପାନି ଠାରୁ ନିଜ ପ୍ରାପ୍ୟ ପାଇବାରେ ବିଫଳ ହେ‌ବା ପରେ ଏରିକ୍ସନ୍ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଏହାର ଶୁଣାଣି ବେଳେ ଅନିଲ ପ୍ରତିଶ୍ରୁତି ଦେଇଥିଲେ ଯେ ଏରିକ୍ସନର ସବୁ ଟଙ୍କା ଫେରାଇଦେବେ। କିନ୍ତୁ କୋର୍ଟରେ ଦେଇଥିବା ନିଜ ପ୍ରତିଶ୍ରୁତି ସେ ପାଳନ କରିବାରେ ବିଫଳ ହୋଇଥିଲେ। ଏହା ପରେ ଅନିଲଙ୍କ ବିରୋଧରେ ଏରିକ୍ସନ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା।

ଆଜି ବିଚାରପତି ଆର୍‌ ଏଫ୍ ନରିମାନ୍ ଏବଂ ଜଷ୍ଟିସ ବିନୀତ ସରନ୍ ମାମଲାର ଶୁଣାଣି କରିବା ବେଳେ କୋର୍ଟଙ୍କ ଆଦେଶକୁ ଅନିଲ ଜାଣିଶୁଣି ଉଲ୍ଳଂଘନ କରିଥିବା କହିଛନ୍ତି। ଏଥିପାଇଁ ଅନିଲ, ରିଲାଏନ୍ସ ଟେଲିକମ୍‌ର ଅଧ୍ୟକ୍ଷ ସତୀଶ ସେଠ୍‌ ଏବଂ ରିଲାଏନ୍ସ ଇନ୍‌ଫ୍ରାଟେଲ୍ର ଅଧ୍ୟକ୍ଷ ଛାୟା ଭରିରାନିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ଚାରି ସପ୍ତାହ ଭିତରେ ଏରିକ୍ସନ୍‌ର ଟଙ୍କା ଫେରାଇବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ଆଦେଶ ପାଳନ କରିବାରେ ବିଫଳ ହେଲେ ତିନି ମାସ ଜେଲ୍‌ ଯିବାକୁ ପଡ଼ିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଚାରି ସପ୍ତାହ ଭିତରେ ଏକ କୋଟି ଟଙ୍କା ଲେଖାଏଁ କୋର୍ଟଙ୍କ ରେଜିଷ୍ଟ୍ରିରେ ଜମା କରିବାକୁ ରିଲାଏନ୍ସ ଟେଲିକମ୍ ଓ ରିଲାଏନ୍ସ ଇନ୍‌ଫ୍ରାଟେଲ୍‌କୁ ନିର୍ଦେଶ ଦିଆଯାଇଛି। ଯଦି ଦୁଇ କଂପାନି ଟଙ୍କା ଜମା କରିବାରେ ବିଫଳ ହେବେ ତେବେ ଅନିଲଙ୍କୁ ଆଉ ଗୋଟିଏ ମାସ ଅଧିକ ଜେଲ୍‌ରେ ରଖାଯିବ ବୋଲି କୋର୍ଟ କହିଛନ୍ତି।

ଯେଉଁ ୧୧୮ କୋଟି ଟଙ୍କା ଅନିଲଙ୍କ ରିଲାଏନ୍ସ ଗ୍ରୁପ୍‌ ପକ୍ଷରୁ କୋର୍ଟଙ୍କ ରେଜିଷ୍ଟ୍ରିରେ ପୂର୍ବରୁ ଜମା କରାଯାଇଥିଲା ତାହାକୁ ତୁରନ୍ତ ଏରିକ୍ସନ୍‌କୁ ପ୍ରଦାନ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ଅଦାଲତ ଅବମାନନା ମାମଲାରେ ରିଲାଏନ୍ସର ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ କୋର୍ଟ ଖାରଜ କରିଦେଇଥିଲେ।

ପୂର୍ବରୁ ଏହି ମାମଲାରେ ଚଳିତ ୧୨ ଓ ୧୩ ତାରିଖରେ ଲଗାତାର ଦୁଇ ଦିନ ପାଇଁ ଶୁଣାଣି ହୋଇଥିଲା ଓ ସେହି ସମୟରେ ଅନିଲ ଅମ୍ବାନି ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ମାମଲାର ରାୟକୁ ୧୩ ତାରିଖରେ କୋର୍ଟ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧିତ ଖବର