ସରକାରଙ୍କୁ ଝଟ୍‌କା: ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃ ଅବସ୍ଥାପିତ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍‌ କରି ସିବିଆଇ ନିର୍ଦ୍ଦେଶକ ବର୍ମା ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ରାୟ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ହୋଇଛି।

ସୂଚନାଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ୱେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ସେହିପରି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ। ଏ ନେଇ ଗତ ଡିିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନ ଥିଲା। ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଶ୍ରୀ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ଶ୍ରୀ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍‌ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ। ତେବେ ଏ ନେଇ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ରାୟ ଦେଇ କେନ୍ଦ୍ର ସରକାରଙ୍କ ଏହି ନଷ୍ପତ୍ତିି ବିରୋଧରେ ଆଲୋକ ବର୍ମାଙ୍କ ଆବେଦନକୁ ସ୍ୱୀକୃତି ଦେଇ ତାଙ୍କୁ ପୁଣି ସିବିଆଇ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶ୍ରୀ ବର୍ମା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଉପରେ ମଧ୍ୟ ସୁପି୍ରମ କୋର୍ଟ ରୋକ୍‌ ଲଗାଇଛନ୍ତି।

ସମ୍ବନ୍ଧିତ ଖବର