ମାଓ ସଂପୃକ୍ତି ସଂଦେହରେ ଗିରଫ ଘଟଣା : ଗିରଫଦାରି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଗୃହବନ୍ଦୀ ରହିବେ

ନୂଆଦିଲ୍ଲୀ : ମାଓବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ସେମାନଙ୍କୁ ଜେଲ ପଠାଇବା ବଦଳରେ ଗୃହବନ୍ଦୀ କରିରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ନିଜ ନିଜ ଘରେ ଗୃହବନ୍ଦୀ କରି ରଖାଯିବ ।  ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।

ଗତକାଲି ପୁନେ ପୁଲିସ ଭୀମା କୋରେଗାଁ ହିଂସାକାଣ୍ଡ ମାମଲାରେ ମାଓବାଦୀଙ୍କ ସଂପୃକ୍ତି ଅଭିଯୋଗରେ ଦେଶର ବିଭିନ୍ନ ସହର ଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ,ରାଞ୍ଚି ଓ ଗୋଆରେ ଥିବା କେତେକ ଲେଖକ, ଓକିଲ ଓ ସାମାଜିକ କର୍ମୀଙ୍କ ବାସଭବନରେ ଚଢାଉ କରିଥିଲା । ଏହା ସହିତ ପୁଲିସ ମାଓ ସଂପୃକ୍ତି ଅଭିଯୋଗରେ ମାଓ ସମର୍ଥକ ତଥା ବିପ୍ଲବୀ ଲେଖକ ବର୍ବରା ରାଓ, ଓକିଲ ଓ ସାମାଜିକ କର୍ମୀ ସୁଧା ଭରଦ୍ୱାଜ,ଅରୁନ ଫେରେରା, ଗୌତମ ନବଲଖା ଓ ଭେରନ ଗଲଜାଲଭିସଙ୍କୁ ଗିରଫ କରିଥିଲା । ଯେଉଁ ମାନଙ୍କ ଘରେ ଚଢାଉ ହୋଇଛି ସେମାନେ ହେଲେ ସମାଜସେବୀ ବା ସାମ୍ବାଦିକ ଗୌତମ ନଲଖା, ବର୍ନନ ଗୋନଜାଲଭିସ, ଅରୁନ ଫେରେରା । ତେବେ ଏମାନଙ୍କ ଗିରଫ ପ୍ରତିବାଦରେ ବିଶିଷ୍ଟ ଐତିହାସିକ ରୋମିଲା ଥାପାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ ।

ପୁଲିସ ଦାବି କରିଛି ଯେ ଉକ୍ତ ହିଂସାକାଣ୍ଡ ଘଟିବାର ଦିନକ ପୂର୍ବରୁ ପୁନେରେ ଏଲଗାର ପରିଷଦ ନାମକ ଏକ ଜନସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ହିଁ ଉପସ୍ଥିତ ଥିବା ବୁଦ୍ଧିଜୀବିମାନେ ହିଂସା ପାଇଁ ଉତ୍ତେଜନାସୃଷ୍ଟିକାରୀ ଭାଷଣ ଦେଇଥିଲେ ।

ସମ୍ବନ୍ଧିତ ଖବର