ଲାଲୁ ପ୍ରସାଦଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ତିନୋଟି ଗୋଖାଦ୍ୟ ମାମଲାରେ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ଲାଲୁଙ୍କ ଅନୁରୋଧ ବିରୋଧରେ ମଙ୍ଗଳବାର ଦିନ ସିବିଆଇ ଏକ ସତ୍ୟପତ୍ର ଦାଖଲ କରିଥିଲା। ଏଥିରେ ସିବିଆଇ ଦର୍ଶାଇ ଥିଲା ଯେ ନିର୍ବାଚନ ସମୟରେ ରାଜନୈତିକ କାର୍ଯ୍ୟକଳାପ ଆଳରେ ଲାଲୁ ଜାମିନ ମାଗୁଛନ୍ତି, ତାଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ନୁହେଁ।

ସିବିଆଇ ଆହୁରି କହିଛି ଯେ ଆଠ ମାସ ହେବ ଲାଲୁ ହସ୍‌ପିଟାଲ୍‌ ଓ୍ଵାର୍ଡରେ ଥିଲେ ମଧ୍ୟ ରାଜନୈତିକ କାର୍ଯ୍ୟକଳାପରେ ମାତିଛନ୍ତି।
ଏଠାରେ ସ୍ମରଣଯୋଗ୍ୟ ଯେ ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ଚିକିତ୍ସାଧୀନ ଅଛନ୍ତି।

ଏପ୍ରିଲ୍‌ ୯ ତାରିଖରେ ଜବାବ ଦାଖଲ କରିବାକୁ ଗତ ସପ୍ତାହରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ସିବିଆଇକୁ କହିଥିଲେ ଏବଂ ଏପ୍ରିଲ୍‌ ୧୦ ତାରିଖ ଦିନ ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରାଯିବ ବୋଲି ମଧ୍ୟ କହିଥିଲେ।

ସୁପ୍ରିମ୍‌ କୋର୍ଟରେ ଲାଲୁଙ୍କ ତରଫରୁ ଯାଇଥିବା ବରିଷ୍ଠ ଓକିଲ କପିଳ ସିବଲ ଯୁକ୍ତି କରିଥିଲେ କି, ନୋଟିସ ଜାରି ସରିଥିବାରୁ ଜାମିନ ଆବେଦନ ଶୁଣାଣି ଲାଗି ଜରୁରୀ ତାଲିକା ପ୍ରସ୍ତୁତ କରାଯାଉ। କିନ୍ତୁ ଏ ମାମଲାରେ ତଦନ୍ତକାରୀ ଏଜେନ୍‌ସି ଜବାବ ଦାଖଲ କରିବା ଉଚିତ ବୋଲି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା କହିଥିଲେ।

ସମ୍ବନ୍ଧିତ ଖବର